ଖୁବ୍‌ଶୀଘ୍ର ମହାକାଶକୁ ଯିବ ମାନବ ଯାନ: ଇସ୍ରୋ ମୁଖ୍ୟ

ନୂଆଦିଲ୍ଲୀ,୨୪ା୮: ଚନ୍ଦ୍ରୟାନ-୩ର ସଫଳତା ପରେ ଇସ୍ରୋ ମୁଖ୍ୟ ଏସ. ସୋମନାଥ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଏହାକୁ କିପରି ବର୍ଣ୍ଣନା କରିବି ମୋ’ ପାଖରେ ଶବ୍ଦ ନାହିଁ। ଏହା ସହିତ ସେ ସ୍ପେସ୍‌ ଏଜେନ୍ସିର ପରବର୍ତ୍ତୀ ମିଶନ ବିଷୟରେ କହିଥିଲେ। ସୋମନାଥ କହିଛନ୍ତି, ବର୍ତ୍ତମାନ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍‌-୧ ପ୍ରସ୍ତୁତ ଏବଂ ଏହା ଆରମ୍ଭ ହେବାକୁ ଯାଉଛି।

ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍‌-୧ କେବେ ଲଞ୍ଚ ହେବ ସୋମନାଥଙ୍କୁ ପଚାରିବାରୁ ସେ କହିଥିଲେ, ଏହା ପ୍ରସ୍ତୁତ ଏବଂ ଆରମ୍ଭ ହେବାକୁ ଯାଉଛି। ଏହି ମିଶନ ସୂର୍ଯ୍ୟଙ୍କ ନିକଟରେ ପହଞ୍ଚିବା ପାଇଁ ଏକ ମିଶନ ଏବଂ ସେପ୍ଟେମ୍ବର ପ୍ରଥମ ସପ୍ତାହରେ  ଆରମ୍ଭ ହେବ। ସେ କହିଛନ୍ତି, ଲଞ୍ଚ ହେବା ପରେ ଏହି ଯାନ ଗନ୍ତବ୍ୟ ସ୍ଥଳ ଏଲ୍‌-୧ରେ ପହଞ୍ଚିବାକୁ ଅନେକ ଦିନ ଲାଗିବ।

ସୋମନାଥ ଆହୁରି ମଧ୍ୟ କହିଛନ୍ତି, ଆମେ ମଧ୍ୟ ‘ଗଗନୟାନ’ ପାଇଁ ପ୍ରସ୍ତୁତ ହେଉଛୁ। କ୍ରୁ ମଡ୍ୟୁଲ ଏବଂ କ୍ରୁ ଏସ୍କେପ୍‌ ଦକ୍ଷତା ପ୍ରଦର୍ଶନ କରିବାକୁ ଆମେ ବୋଧହୁଏ ସେପ୍ଟେମ୍ବର କିମ୍ବା ଅକ୍ଟୋବର ଶେଷ ସୁଦ୍ଧା ଏକ ମିଶନ ଆରମ୍ଭ କରିବୁ। ଆମେ ମ୍ୟାନ୍‌ ମିଶନ ଅର୍ଥାତ୍‌ ମାନବ ମିଶନ ପୂର୍ବରୁ ଆହୁରି ଅନେକ ପରୀକ୍ଷା ମିଶନ କରିବାକୁ ଯାଉଛୁ । ଅନେକ ମିଶନ ପରେ ଆମେ ୨୦୨୫ରେ ମାନବ ମିଶନ ଆରମ୍ଭ କରିବୁ ଯେଉଁଥିରେ ମାନବ ଯାନ ମହାକାଶକୁ ପଠାଯିବ।

Share