ମଣିଷ ଯଦି ପ୍ରକୃତିର ଆଭିମୁଖ୍ୟ କ’ଣ ତାହା ବୁଝିବା ଦିଗରେ ସାମାନ୍ୟ ପ୍ରୟାସ କରନ୍ତା, ତେବେ ବିଶ୍ୱ-ସମାଜର ଗତିଧାରା ବଦଳିଯାଆନ୍ତା। ଅସଂଖ୍ୟ ପଥରେ ପ୍ରକୃତି ନିରନ୍ତର ଏହି ଶିକ୍ଷା ଦେବାକୁ ଚେଷ୍ଟାକରୁଛି ଯେ, ବୈଚିତ୍ର ଭିତରେ ମାନବସମାଜ ଏକତ୍ୱ ଉପଲବ୍ଧ କଲା ଭଳି ପର୍ଯ୍ୟାୟରେ ସଭ୍ୟତା କେବେଠୁ ଉପନୀତ ହେଲାଣି। ଦେଶ-ଦେଶ ଭିତରେ ପ୍ରକୃତି ଐଶ୍ୱର୍ଯ୍ୟକୁ ଏପରି ରୀତିରେ ବିସ୍ତାରିତ କରି ରଖିଛି, ଯଦ୍ଦ୍ବାରା ସେ ଐଶ୍ୱର୍ଯ୍ୟର ଆଦାନପ୍ରଦାନ ଦ୍ୱାରା ଦେଶ୍-ଦେଶ ପରସ୍ପର ନିକଟବର୍ତ୍ତୀ ହୋଇପାରିବେ। ଏହି ସ୍ଥୂଳ ନୈକର୍ତ୍ତ୍ୟ ଉପଲବ୍ଧ ଦିଗରେ ହେବ ସହାୟକ। ସଂସ୍କୃତି, ସାହିତ୍ୟ ବିଜ୍ଞାନ ଏବଂ ଆଧ୍ୟାମତ୍ିକତା ଦିଗରେ ଯୁଗଯୁଗ ଧରି ଦେଶ-ଦେଶ, ଜାତି-ଜାତି, କେତେପ୍ରକାର ଅଗ୍ରସର ହୋଇଛନ୍ତି, କେତେ ପରୀକ୍ଷାର ଶିହରଣ କେତେ ସାଫଲ୍ୟର ପୁଲକ ଅର୍ଜନ କରିଛନ୍ତି। ସେସବୁ ଅଭିଜ୍ଞତାର ଆଦାନପ୍ରଦାନ ମଣିଷକୁ ଚେତନାଗତ ଭାବରେ କେତେ ସମୃଦ୍ଧ କରନ୍ତା।
ଆଜି ଯଦି ଦେଶ-ଦେଶର ବୈଜ୍ଞାନିକମାନଙ୍କ ଭିତରେ ପ୍ରକୃତ ଭାବଗତ ଓ ଶିକ୍ଷାଗତ ଆଦାନପ୍ରଦାନ ସମ୍ଭବପର ହୁଅନ୍ତା, ଆଜି ଯଦି ପ୍ରତିଦ୍ୱନ୍ଦ୍ୱିତା ନିବୃତ୍ତ ହୋଇ ଆଗୁଆ ଦେଶଗୁଡ଼ିକର ବୈଜ୍ଞାନିକମାନେ ସହଯୋଗମୂଳକ ଗବେଷଣାରେ ବର୍ତ୍ତୀ ହୁଅନ୍ତେ, ତେବେ ମଣିଷ ଅଗଣନ ସମସ୍ୟାର ସମାଧାନ କରିବାରେ ଯେ ସେମାନେ ସକ୍ଷମ ହୁଅନ୍ତେ, ଏଥିରେ ସନ୍ଦେହର ଅବକାଶ ନାହିଁ।
ମହାକାଶ ଅଭିଯାନରେ ଯେଉଁ ବିତ୍ତ ବ୍ୟୟିତ ହୁଏ, ତାହା କଳନା କରିବା ମଧ୍ୟ ସହଜ ନୁହେଁ। ରୁଷିଆ ଏବଂ ଆମେରିକା ବହୁ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଲୁଚାଇ ଏ ଦିଗରେ ବ୍ୟାପକ ଗବେଷଣା ଚଳାଉଥିଲେ। ମହାକାଶ ଅଭିଯାନ ମଣିଷର ଅପ୍ରତିରୋଧ କୌତୂହଳ ଓ ବର୍ଦ୍ଧିଷ୍ଣୁ ସନ୍ଧାନ ସ୍ପୃହାର ପରିପ୍ରକାଶ। ଏଥିରୁ ଓହରି ଆସିବାକୁ ପରାମର୍ଶ ଦେବାର ମାନେ ହୁଏନା। କିନ୍ତୁ ଏକ ଏକ ଅଭିଯାନ ପାଇଁ ଯେଉଁ ପ୍ରଚଣ୍ଡ ଭୌତିକ ଶକ୍ତି (ଅର୍ଥ ତଥା ବିଜ୍ଞାନ- ମାନସର ଏକାଗ୍ର ବ୍ୟବହାର ଦୃଷ୍ଟିରୁ) ଆବଶ୍ୟକ ହୁଏ, ଯଦି ଉଭୟ ଦେଶ ଏକତ୍ର କାମଟି କରନ୍ତେ, ତେବେ ତାର ଅର୍ଦ୍ଧେକ ହିଁ ଯଥେଷ୍ଟ ହୁଅନ୍ତା।
ଗବେଷଣାର ଏହା ହେଲା ଗୋଟିଏ ଦିଗ। ଅନ୍ୟ ଦିଗରେ ଦେଶ-ଦେଶ ଭିତରେ ସୌହାର୍ଦ୍ଦ୍ୟ ଦ୍ୱାରା ବିଜ୍ଞାନର ଧ୍ୱଂସାମତ୍କ ପ୍ରୟୋଗ ବନ୍ଦ ହୋଇଯିବା ଫଳରେ ପୃଥିବୀର ଅପରିସୀମ ମଙ୍ଗଳ ହିଁ ହୁଅନ୍ତା। ଆଜି ସମର୍ଥ ଦେଶଗୁଡ଼ିକର ବିଜ୍ଞାନ ବଳର ଅର୍ଦ୍ଧାଧିକ ପ୍ରଯୁଜ୍ୟ ହେଉଛି ଧ୍ୱଂସାମତ୍କ ମାଲ୍ ମସଲାର ଆବିଷ୍କାର ଦିଗରେ। ଯେତେବେଳେ ବ୍ୟାପକ ବିଜ୍ଞାନ ଶକ୍ତି ମଣିଷ ହିତ ସକାଶେ ଉଦ୍ଦିଷ୍ଟ ହୁଅନ୍ତା, ସେତେବେଳେ ଦାରିଦ୍ରଠୁ ଆରମ୍ଭ କରି ରୋଗ ବ୍ୟାଧି ପର୍ଯ୍ୟନ୍ତ ବହୁ ସମସ୍ୟାର ସମାଧାନ ହୁଅନ୍ତା।
ବିଜ୍ଞାନ ଛଡ଼ା କେତୋଟି ବଡ଼ ଶକ୍ତି ପରସ୍ପର ଶତ୍ରୁ ହୋଇ ରହିଥିବା ହେତୁ ନିଜ ନିଜର ଅନୁକୂଳ ପ୍ରଚାର, ଗୋପନ ବାହିନୀ, ଗୁପ୍ତଚର ବିଭାଗ ଇତ୍ୟାଦିର ଭରଣପୋଷଣ ନିରପେକ୍ଷ ଦେଶଗୁଡ଼ିକୁ ପ୍ରଭାବିତ କରିବା ଦିଗରେ ନାନାଦି ପ୍ରୟାସ ଇତ୍ୟାଦିରେ ଯେଉଁ ବିପୁଳ ସମ୍ପଦ କ୍ରମାଗତ ବ୍ୟୟିତ ହୋଇ ଚାଲିଛି, ତାହାର ବି ଗଠନମୂଳକ ବ୍ୟବହାର ହୋଇପାରନ୍ତା।
ପୂର୍ବରୁ କୁହାଯାଇଥିଲା, ଯେତେବେଳେ ମଣିଷ ନିଜର ସଦ୍ବୁଦ୍ଧି ଦ୍ୱାରା ପ୍ରକୃତିର ଆଭିମୁଖ୍ୟ ସହିତ ସହଯୋଗ ନ କରେ; ସେତେବେଳେ ପ୍ରକୃତି ଅଗତ୍ୟା ଭିନ୍ନ ଉପାୟରେ ମଣିଷକୁ ଚେତାଇବାକୁ ଚେଷ୍ଟା କରେ ସାଧାରଣତଃ ସେ ଉପାୟ ବିଭ୍ରାଟମୂଳକ ହୋଇଥାଏ।
ବିଶ୍ୱ ଏକତାର ଭୂମିକା ହିସାବରେ ପ୍ରକୃତି ପ୍ରଥମେ ଏକ ଏକ ଜାତି ଗଠନ କରିଥାଏ। ହଜାର ହଜାର ବର୍ଷର ଘାତ ପ୍ରତିଘାତ ଭିତରେ ଏହା ହୋଇଥାଏ। ସ୍ଥୂଳ ଭାବରେ ଜାତିର ପରିଚୟ ବିକଶିତ ହେବା ପୂର୍ବରୁ ପ୍ରଥମେ ଜାତିର ଭାବଗତ ପ୍ରତିଷ୍ଠା ହୋଇଥାଏ। କେତେ ମୁନିଋଷି, ମନୀଷୀ, ଦାର୍ଶନିକ, କବି ଓ ଶିଳ୍ପୀଙ୍କ ଦିବ୍ୟଦୃଷ୍ଟି, ପ୍ରେରଣା, ସାହିତ୍ୟ ଶିଳ୍ପ ସୃଷ୍ଟି ଭିତରେ ଭାରତର ଭାବଗତ ସ୍ଥିତି ପ୍ରତିଷ୍ଠା ହୋଇଥିଲା। ତା’ପରେ ଐତିହାସିକ ଘଟଣା ପ୍ରବାହ ଭିତରେ ସେ ଭାରତ ଏକ ସ୍ଥୂଳ ରାଜନୈତିକ ରୂପରେଖ ବି ଗ୍ରହଣ କରିଥିଲା। ଏହା ଥିଲା ପ୍ରକୃତିର ଅଗ୍ରଗାମୀ ଅଭୀସ୍ପାର ଏକ ବିଶେଷ ସାଫଲ୍ୟର ଦୃଷ୍ଟାନ୍ତ।
କିନ୍ତୁ ହାଏ, ସେହି ମହତ୍ ସାଫଲ୍ୟକୁ ହତଭାଗ୍ୟ ମଣିଷ ଭାଙ୍ଗିଚୂରି ପକାଇଲା। ସେ ପୁଣି ତାହା କଲା ଧର୍ମଭିତ୍ତିରେ! ଧର୍ମର ଦୁଇଟି ସଂଜ୍ଞା। ପ୍ରକୃତ ସଂଜ୍ଞା ଦୃଷ୍ଟିରୁ ଧର୍ମ ମଣିଷକୁ ମହତର ସତ୍ୟର ସନ୍ଧାନ ଦେବା ସକାଶେ ଉଦ୍ଦିଷ୍ଟ। ବିଭେଦ ପାଇଁ ଉଦ୍ବୁଦ୍ଧ କରିବା ତା’ର କାମ ନୁହେଁ। ଦ୍ୱିତୀୟ ସଂଜ୍ଞା ଦୃଷ୍ଟିରୁ- ଆନୁଷ୍ଠାନିକ ଧର୍ମ ବୋଇଲେ ଯାହା ବୁଝାଏ, ତାହା ଏକ ରକ୍ଷଣଶୀଳ, ଅନ୍ଧ ଓ ନିଷ୍ଠୁର ବ୍ୟବସ୍ଥାଚକ୍ର। ମଣିଷ ଏ ଯୁଗରେ ତାକୁ ଅତିକ୍ରମ କରି ଅଗ୍ରସର ହେବା କଥା। ସେଭଳି ଧର୍ମର ଦ୍ୱାହିରେ ଗୋଟାଏ ସ୍ବାଭାବିକ, ପ୍ରକୃତି ଜୀବନ୍ତ ଦେଶକୁ କାଟିପକାଇବା ମୂଢ଼ତା ଛଡା ଆଉକିଛି ହୋଇ ନ ପାରେ।
ଅର୍ଥାତ୍ ଧର୍ମ ନାମକୁ ଅବଲମ୍ବନ କରି ଅନ୍ଧକାର ଶକ୍ତିମାନେ ମଣିଷର ମତିଭ୍ରମ ଘଟାଇ ଭାରତ ବିଭାଗ କରାଇଲେ। ଅନ୍ଧ ଶକ୍ତି ପାଖରେ ଭାରତବାସୀଙ୍କ ଏହି ଆମତ୍ସମର୍ପଣର ପ୍ରାୟଶ୍ଚିତ୍ତ ଅଦ୍ୟାବିଧି ଚାଲିଛି। ସେହି ପ୍ରାୟଶ୍ଚିତ୍ତର ଏକ ପର୍ଯ୍ୟାୟ ସାମ୍ପ୍ରତିକ ଆସାମ। ସେଠାର ଯେଉଁମାନଙ୍କୁ ‘ବିଦେଶୀ’ବୋଲି କହି ଆଜି ଉଚ୍ଛେଦ କରାଯିବାର ବ୍ୟବସ୍ଥା ହେଉଛି, ସେମାନେ ଏକଦା ଆମର ଭାରତବର୍ଷର ବାସିନ୍ଦା ଥିଲେ। ଆସାମ ସ୍ବର୍ଗ ବୋଲି ଯେ ସେମାନେ ଆସାମକୁ ପଲାଇ ଆସିଲେ ତାହା ନୁହେଁ, ହଠାତ୍ ସେମାନଙ୍କ ନିଜ ଭୂମି ‘ବିଦେଶ’ ବନିଗଲା। କେହି ସହଜରେ ନିଜ ମାଟି ଛାଡ଼ି ଯାଏନାହିଁ- ଅନ୍ତତଃ ଗଁାଲୋକେ ନୁହନ୍ତି। ପାଠପଢ଼ୁଆଙ୍କ କଥା ଅଲଗା। ଅକଥ୍ୟ ନିର୍ଯାତନା ଭିତରେ ସେମାନେ ଆସାମ ପଳାଇ ଆସିଥିଲେ ପୂର୍ବ ବଙ୍ଗ ଛାଡ଼ି।
ଆସାମବାସୀମାନେ କହୁଛନ୍ତି, ତାଙ୍କ ରାଜ୍ୟରେ ଏହି ‘ବିଦେଶୀ’ (ଏକଦା ସ୍ବଦେଶୀ!) ମାନେ ବିଭ୍ରାଟ ସୃଷ୍ଟି କରୁଛନ୍ତି। ସତ କଥା ହୋଇପାରେ। ସେ ‘ସତକଥା’ ଗୋଟିଏ ନିର୍ଦ୍ଦିଷ୍ଟ ସ୍ତରର ସତକଥା। ସେହି ‘ସତକଥା’ ଉପରେ ସମଗ୍ର ଆସାମବାସୀ ଏକତ୍ରିତ। କିନ୍ତୁ ସଂଖ୍ୟା ଯେ ସତ୍ୟର ମାପକାଠି ନୁହେଁ, ସେକଥା ଭୁଲିଗଲେ ଚଳିବ ନାହିଁ। ପ୍ରାଦେଶିକତାଧର୍ମୀ ଏହି ସତ୍ୟର ଊର୍ଦ୍ଧ୍ୱରେ ଏକ ମାନବିକତାର ସତ୍ୟ ରହିଛି। ଯେଉଁ ରୀତିରେ ଆସାମରେ ଆନ୍ଦୋଳନ ହେଉଛି, ତାହା ସେ ବୃହତର ସତ୍ୟ ପ୍ରତି ଅବମାନନା ପ୍ରଦର୍ଶନ କରୁଛି।
ଭାରତ ବିଭାଜନ ଥିଲା ପ୍ରକୃତିର ଆଭିମୁଖ୍ୟ ବିରୋଧରେ ଏକ ପ୍ରଚଣ୍ଡ ଅନ୍ଧ ଆଘାତ। ସେହିଭଳି ଆଘାତର ଆହୁରି କେତେ ପୁନରାବୃତ୍ତି ହେବ?
ବାମପନ୍ଥୀ ଚିନ୍ତାଧାରାରୁ ସୃଜନଶୀଳତାର ଶିଖର
ହାଇସ୍କୁଲରେ ପଢ଼ିବା ବେଳେ ବାମପନ୍ଥୀ ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ କଥାକାର ମନୋଜ ଦାସ। ଛାତ୍ର ରାଜନୀତିରେ ସକ୍ରିୟ ହୋଇ ବାମପନ୍ଥୀ ସଙ୍ଗଠନରେ ଯୋଗଦେବା ତାଙ୍କ ଜୀବନର ଭିନ୍ନ ଏକ ଦିଗକୁ ଦୃଷ୍ଟିପାତ କରିଥିଲା। ଯୁବ ଆନ୍ଦୋଳନର ନେତୃତ୍ୱ ନେଇଥିବା ଏଭଳି ବ୍ୟକ୍ତି ପରବର୍ତ୍ତୀ ସମୟରେ ସାରସ୍ବତ ସାଧନା ଦିଗରେ ବ୍ରତୀ ହୋଇ ଶିଖର ଛୁଇଁବା ସମ୍ଭବତଃ ବିଶ୍ୱସ୍ତରରେ କମ୍ ବ୍ୟକ୍ତିଙ୍କ ଭାଗ୍ୟରେ ଜୁଟିଥିବ। ଶିଶୁ, କିଶୋର ଏବଂ ବୟସ୍କ ପ୍ରତ୍ୟେକ ବର୍ଗ ପାଇଁ ସେ ଛାଡ଼ିଯାଇଛନ୍ତି ଅସରନ୍ତି ଶବ୍ଦର ଭଣ୍ଡାର। ମନୋଜଙ୍କ ସବୁଠାରୁ ଏକ ଶାଣିତ ଦିଗକୁ ମନୋଜପ୍ରେମୀ ନିରେଖି ଦେଖିଥାଆନ୍ତି। ସାହିତ୍ୟ ଲେଖାରେ ସେ ଯେଉଁ ଶବ୍ଦ ସୃଷ୍ଟି କରିଥାଆନ୍ତି, ବକ୍ତବ୍ୟ ଦେଲାବେଳେ ଅନୁରୂପ ଶବ୍ଦ ଉଚ୍ଚାରଣ କରି ଦର୍ଶକଙ୍କୁ ବିମୋହିତ କରିଦେଇଥାଆନ୍ତି। ସରସ୍ବତୀଙ୍କ ବରପୁତ୍ର ତଥା ଫକୀରମୋହନଙ୍କ ମାଟିର ସାର୍ଥକ ଦାୟାଦ ଭାବେ ସେ ସୃଷ୍ଟି କରିଥିବା ଶବ୍ଦର କୋଣାର୍କକୁ ପିଢ଼ି ପରେ ପିଢ଼ି ଯେତେ ପଢୁଥିବେ, ସେଥିରୁ ନୂତନ ଚିନ୍ତାଧାରା, ଶୈଳୀ, ଦର୍ଶନ ଓ କାହାଣୀ ଆସ୍ବାଦନ କରିଚାଲିଥିବେ।
ପଦ୍ମଭୂଷଣ- ୨୦୨୦
ପଦ୍ମଶ୍ରୀ- ୨୦୦୧
ସରସ୍ବତୀ ସମ୍ମାନ – (ଅମୃତ ଫଳ, ୨୦୦୦)
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର- (ମନୋଜ ଦାସଙ୍କ କଥା ଓ କାହାଣୀ, ୧୯୭୨)
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର- ୧୯୬୨ ଓ ୧୯୮୭
ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ- ୨୦୦୭
ସାହିତ୍ୟ ଏକାଡେମୀ ଫେଲୋସିପ- ୨୦୦୬
ଶାରଳା ପୁରସ୍କାର- ୧୯୮୧
ସାରଳା ସମ୍ମାନ- ୨୦୦୬ (ସାରଳା ସାହିତ୍ୟ ସଂସଦ, କଟକ)
ଉତ୍କଳ ରତ୍ନ ସମ୍ମାନ- ୨୦୦୧
ବିଷୁବ ପୁରସ୍କାର – ୧୯୮୭
ସାହିତ୍ୟ ଭାରତୀ ସମ୍ମାନ- ୧୯୯୫
ରଚନାବଳୀ
-ଗଳ୍ପ ସଙ୍କଳନ-
ଅବୋଲକରା କାହାଣୀ (୧୯୯୧)
ଚତୁର୍ଥ ବନ୍ଧୁ ଓ ଅନ୍ୟାନ୍ୟ କାହାଣୀ (୧୯୯୦)
ଭିନ୍ନ ମଣିଷ ଓ ଅନ୍ୟାନ୍ୟ କାହାଣୀ (୧୯୮୭)
ମନୋଜ ପଞ୍ଚବିଂଶତି (୧୯୮୩)
ଧୂମ୍ରାଭ ଦିଗନ୍ତ ଓ ଅନ୍ୟ କାହାଣୀ (୧୯୭୭)
ଆବୁପୁରୁଷ ଓ ଅନ୍ୟାନ୍ୟ କାହାଣୀ (୧୯୭୫)
ଲକ୍ଷ୍ମୀର ଅଭିସାର (୧୯୭୪)
ମନୋଜ ଦାସଙ୍କ କଥା ଓ କାହାଣୀ (୧୯୭୧)
ଶେଷ ବସନ୍ତର ଚିଠି (୧୯୬୫)
ଆରଣ୍ୟକ (୧୯୬୧)
ବିଷକନ୍ୟାର କାହାଣୀ (୧୯୫୪)
ଜୀବନର ସ୍ବାଦ (୧୯୫୩)
ସମୁଦ୍ରର କ୍ଷୁଧା (୧୯୫୨)
କବିତା ସଙ୍କଳନ
କବିତା ଉତ୍କଳ (୨୦୦୩)
ତୁମ ଗଁା ଓ ଅନ୍ୟାନ୍ୟ କବିତା (୧୯୯୨)
ଉପନିବେଶ (୧୯୬୬)
ନନ୍ଦାବତୀର ମାଝି (୧୯୫୭)
ପଦଧ୍ୱନି (୧୯୫୦)
ବିପ୍ଳବୀ ଫକୀରମୋହନ (୧୯୫୦)
ଶତାବ୍ଦୀର ଆର୍ତ୍ତନାଦ (୧୯୪୯)
ଉପନ୍ୟାସ
ତନ୍ଦ୍ରାଲୋକର ପ୍ରହରୀ – ୨୦୦୦
ଆକାଶର ଇସାରା – ୧୯୯୭
ଅମୃତ ଫଳ – ୧୯୯୬
ଗୋଧୂଳିର ବାଘ -୧୯୯୫
ପ୍ରଭଞ୍ଜନ -୧୯୯୨
ବୁଲଡୋଜର୍ସ -୧୯୮୯
ପ୍ରବନ୍ଧ, ରମ୍ୟରଚନା
ପ୍ରଜ୍ଞା – ପ୍ରଦୀପିକା (୨୦୧୨)
ଉପକଥା ଶତକ (୨୦୦୨)
ସତ୍ୟ-ଅସତ୍ୟ ଓ ଅନ୍ୟାନ୍ୟ ପ୍ରସଙ୍ଗ (୨୦୦୨)
ସ୍ମୃତି ଓ ବିସ୍ମୃତିର ସାରନାଥ
ଅରଣ୍ୟ ଉଲ୍ଲାସ (୧୯୯୯)
ଭାରତର ଐତିହ୍ୟ: ଶତେକ ପ୍ରଶ୍ନର ଉତ୍ତର (୧୯୯୮)
ମହାଯୋଗୀ ଶ୍ରୀଅରବିନ୍ଦ (୧୯୯୭)
ସମୁଦ୍ର କୂଳର ଏକ ଗ୍ରାମ (୧୯୯୬)
ସନ୍ଧାନ ଓ ସଙ୍କେତ (୧୯୯୯)
ବିପୁଳାଚ ପୃଥୀ (୧୯୯୪)
କେତେ ଦିଗନ୍ତ (୧୯୮୬)
ଶିଶୁ ସାହିତ୍ୟ
ରାକ୍ଷସର ସନ୍ଧାନରେ (୨୦୧୦)
କନକ ଉପତ୍ୟକାର କାହାଣୀ (୧୯୯୪)
ଅମର ସାହିତ୍ୟ (୧୯୭୩)
ଆଲୋକ ଓ ଆନନ୍ଦର କାହାଣୀ (୧୯୭୦)
ଇଂଲିଶ ରଚନାବଳୀ-
ଚେଜିଂ ଦି ରେନ୍ବୋ: ଗ୍ରୋଇଙ୍ଗ ଅପ୍ ଇନ୍ ଆନ୍ ଇଣ୍ଡିଆନ ଭିଲେଜ(୨୦୦୪)
ଲିଜେଣ୍ଡ ଅଫ୍ ଦି ଗୋଲ୍ଡେନ ଭ୍ୟାଲି(୧୯୯୬)
ଦି ସବ୍ମର୍ଜଡ ଭ୍ୟାଲି ଆଣ୍ଡ୍ ଅଦର ଷ୍ଟୋରିଜ(୧୯୮୬)
ଫେଆରବେଲ ଟୁ ଏ ଘୋଷ୍ଟ(୧୯୯୪)
ଦି କ୍ରୋକୋଡାଇଲ ଲେଡି(୧୯୭୫)
(ଏହା ବ୍ୟତୀତ ତାଙ୍କର ଅନେକ ପୁସ୍ତକ ରହିଛି )