‘ଆଦିପୁରୁଷ’ ବିବାଦ: ଫିଲ୍ମ ଲେଖକ ମନୋଜ ମୁନ୍ତାଶିରଙ୍କୁ ମିଳିଲା ମୁମ୍ବାଇ ପୋଲିସର ସୁରକ୍ଷା

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଏବେ ବିବାଦ ଲାଗିରହିଛି। ଚଳଚ୍ଚିତ୍ରର କାହାଣୀ ଏବଂ ଏଥିରେ ପ୍ରଦର୍ଶିତ ସଂଳାପକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ବିବାଦକୁ ଦେଖି ବର୍ତ୍ତମାନ ଫିଲ୍ମର ଲେଖକ ମନୋଜ ମୁନ୍ତାଶିର ମୁମ୍ବାଇ ପୋଲିସରୁ ନିଜ ପାଇଁ ସୁରକ୍ଷା ଦାବି କରିଛନ୍ତି। ମନୋଜ ଏହି ସମୟରେ ନିଜ ପାଇଁ ବିପଦକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ଯାହା ଉପରେ ବର୍ତ୍ତମାନ ମୁମ୍ବାଇ ପୋଲିସ ଏକ ନିଷ୍ପତ୍ତି ନେଇଛି ଏବଂ ତାଙ୍କୁ ସୁରକ୍ଷା ଯୋଗାଇ ଦେଇଛି। ପୋଲିସ କହିଛି ଯେ ସେମାନେ ଏ ପର୍ଯ୍ୟନ୍ତ ଘଟଣାର ତଦନ୍ତ କରୁଛନ୍ତି।

ଗତ ଶୁକ୍ରବାର ଅର୍ଥାତ୍‌ ୧୬ ଜୁନ ରେ ପ୍ରଭାସ, କ୍ରିତି ସାନନ ଏବଂ ସୈଫ ଅଲି ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଆଦିପୁରୁଷ’ ବଡ ପରଦାରେ ମୁକ୍ତିଲାଭ କରିଛ। ଗୋଟିଏ ପଟେ ଫିଲ୍ମ ବକ୍ସ ଅଫିସରେ ବହୁତ ଟଙ୍କା ରୋଜଗାର କରୁଥିବା ବେଳେ ଅନ୍ୟପକ୍ଷରେ ଦର୍ଶକମାନେ ମଧ୍ୟ ଏହାକୁ ତୀବ୍ର ସମାଲୋଚନା କରୁଛନ୍ତି। ଫିଲ୍ମରେ ଦେଖାଯାଇଥିବା ସଂଳାପକୁ ନେଇ ସାରା ଦେଶରେ ଆଲୋଡ଼ନ ଦେଖାଦେଇଛି। ଏହା ସହିତ ଚଳଚ୍ଚିତ୍ର ନିର୍ମାତାମାନେ ମଧ୍ୟ ହିନ୍ଦୁ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ସେଥିପାଇଁ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଉଛି।

Share