ମୁମ୍ବାଇ, ୧୧।୭: ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଏନ୍କାଉଣ୍ଟର ପରେ ବଲିଉଡ୍ରେ ଏହି ଘଟଣାକୁ ନେଇ ଫିଲ୍ମ କରାଯିବା ଲାଗି ଯୋଜନା ଆରମ୍ଭ ହୋଇଛି। ନିର୍ମାତା ପ୍ରଦୀପ କପୁର ବିକାଶ ଦୁବେଙ୍କ ଉପରେ ଫିଲ୍ମ କରିବେ ବୋଲି ଘୋଷଣା କରିଛନ୍ତି। ଫିଲ୍ମରେ ବିକାଶଙ୍କ ଭୂମିକାରେ ମନୋଜ ବାଜପେୟୀ ଅଭିନୟ କରିପାରନ୍ତି। ଫିଲ୍ମରେ ଲିଡ୍ ରୋଲ୍ କରିବା ଲାଗି ପ୍ରଦୀପ ମନୋଜଙ୍କୁ ଅନୁରୋଧ କରିଛନ୍ତି। ଫିଲ୍ମ ନିର୍ମାଣ ପାଇଁ ୧୨ କୋଟି ଟଙ୍କାର ବଜେଟ ରହିଥିବା କୁହାଯାଉଛି। ମନୋଜ ଏବଂ ପ୍ରଦୀପ ଦୁହେଁ ଭଲ ବନ୍ଧୁ। କାହାଣୀ ଉପରେ ୨ରୁ ୩ ମାସ ରିସର୍ଚ୍ଚ ପରେ ଫିଲ୍ମ ନିର୍ମାଣ କରାଯିବ ବୋଲି ପ୍ରଦୀପ ସୂଚନା ଦେଇଛନ୍ତି। ପ୍ରଦୀପ ‘ଜୁଗାଡ଼’ ଏବଂ ‘ଅନରାକଲୀ ଅଫ୍ ଆରା’ ଫିଲ୍ମ ନିର୍ମାଣ କରିଛନ୍ତି। ଏହି ଫିଲ୍ମ ଦୁଇଟି ବେଶ୍ ସଫଳ ମଧ୍ୟ ରହିଛି। ଏବେ ଗ୍ୟାଙ୍ଗ୍ଷ୍ଟର ବିକାଶଙ୍କୁ ନେଇ ଫିଲ୍ମ କରିବାକୁ ସେ ଅଣ୍ଟା ଭିଡ଼ିଛନ୍ତି।