ଭୁବନେଶ୍ୱର,୧୯ା୯(ବ୍ୟୁରୋ): ସମାଜର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦିକା, ବିଶିଷ୍ଟ ସମାଜସେବୀ ତଥା ସାହିତି୍ୟକା ମନୋରାମା ମହାପାତ୍ରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ବର୍ଗଦ୍ୱାରଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶନିବାର ସନ୍ଧ୍ୟାରେ ମନୋରମାଙ୍କର କଟକରେ ବିୟୋଗ ହୋଇଥିଲା। ମନୋରମାଙ୍କ ଜ୍ୟେଷ୍ଠପୁତ୍ର ପ୍ରଦୀପ କୁମାର ମହାପାତ୍ର ମୁଖାଗ୍ନି ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲାପାଳ ସମର୍ଥ ବର୍ମା ଏବଂ ଆରକ୍ଷୀ ଅଧୀକ୍ଷକ କର୍ନର ବିଶାଳ ସିଂହ ଶବାଧାରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା। ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲାପାଳ ଭବତାରଣ ସାହୁ, ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସୂଚନାଯୋଗ୍ୟ, ଯଶସ୍ବୀ ସାରସ୍ବତ ସାଧିକା ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଘୋଷଣା କରିଥିଲେ।