Categories: ଖେଳ

ବିର୍ସାମୁଣ୍ଡା ଷ୍ଟାଡିୟମରେ ଅଭ୍ୟାସ ପାଇଁ ମନପ୍ରୀତ ବ୍ୟଗ୍ର

ନୂଆଦିଲ୍ଲୀ, ୨୯।୯: ଭୁବନେଶ୍ୱର ଓ ରାଉରକେଲାରେ ହେବାକୁଥିବା ୨୦୨୩ ହକି ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷିତ ହୋଇସାରିଛି। ଏହାକୁ ନେଇ ଭାରତୀୟ କ୍ୟାମ୍ପରେ ଉତ୍ସାହ ଓ ବ୍ୟଗ୍ରତା ପରିଲକ୍ଷିତ ହୋଇଛି। ଜାନୁୟାରୀ ୧୩ରେ ରାଉରକେଲାରେ ନବନିର୍ମିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ସ୍ପେନ୍‌ ବିପକ୍ଷରେ ମ୍ୟାଚ ଖେଳି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ଓଡ଼ିଶାର ହକି ପ୍ରାଣକେନ୍ଦ୍ରରେ ଅଭିଯାନ ଆରମ୍ଭ କରିବାକୁ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି ଭାରତୀୟ ଅଧିନାୟକ ମନ୍‌ପ୍ରୀତ ସିଂ। ” କାର୍ଯ୍ୟସୂଚୀ ପ୍ରକାଶ ଦ୍ୱାରା ଆମେ କେଉଁଠି ଏବଂ କାହା ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବୁ ତାହା ଜାଣିଯାଇଛୁ। ଫଳରେ ସ୍ବାଭାବିକ ଭାବେ ଦଳ ମଧ୍ୟରେ ବ୍ୟଗ୍ରତା ପ୍ରକାଶ ପାଇଛି। ଭୁବନେଶ୍ୱରରେ ପରିବେଶ ଓ ପରିସ୍ଥିତିକୁ ନେଇ ଆମର ଅଭିଜ୍ଞତା ଅଛି। ମାତ୍ର ସୁନ୍ଦରଗଡ଼ରୁ ଆସିଥିବା ଆମ ଦଳୀୟ ସାଥିଙ୍କଠାରୁ ରାଉରକେଲାର ପରିବେଶ ସମ୍ପର୍କରେ ଶୁଣିଛି। ସେହି ଅଞ୍ଚଳରୁ ବହୁ ସଂଖ୍ୟାରେ ପ୍ରଶଂସକ ମ୍ୟାଚ ଦେଖିବାକୁ ଅପେକ୍ଷା କରି ଅଛନ୍ତି। ତେଣୁ ଆମର ଓପନିଂ ଗେମ୍‌ କିଭଳି ପରିବେଶରେ ହେବ ତାହା ଅନୁଭବ କରି ହେଉଛି“ ବୋଲି ମନ୍‌ପ୍ରୀତ ପ୍ରକାଶ କରିଛନ୍ତି। ଓଡ଼ିଶାରେ ଖେଳିବାବେଳେ ପ୍ରଶଂସକମାନେ ଆମକୁ ଅନେକ ଉତ୍ସାହିତ କରିଛନ୍ତି। ତେଣୁ ଆମେ ଆଗାମୀ ବିଶ୍ୱକପରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ବ୍ୟଗ୍ରତାର ସହ ଅପେକ୍ଷା କରିଛୁ ବୋଲି ସେ କହିଛନ୍ତି।

ହକି ବିଶ୍ୱକପ ଡ୍ର’ ଅନୁସାରେ ଭାରତ ପୁଲ୍‌ ‘ଡି’ରେ ଇଂଲଣ୍ଡ, ସ୍ପେନ୍‌ ଓ ଓ୍ବେଲ୍ସ ସହିତ ସ୍ଥାନ ପାଇଛି। ଘରୋଇ ଦଳ ଏହାର ପ୍ରଥମ ମ୍ୟାଚରେ ସ୍ପେନ୍‌କୁ ଭେଟିବ। ”୨୦,୦୦୦ରୁ ଊର୍ଦ୍ଧ୍ୱ ଦର୍ଶକ କ୍ଷମତା ବିଶିଷ୍ଟ ଭାରତର ସବୁଠାରୁ ବଡ଼ ଷ୍ଟାଡିୟମରେ ଖେଳିବା ପାଇଁ ଆମେ ବ୍ୟଗ୍ରତାର ସହ ଅପେକ୍ଷା କରିଛୁ। ସେହି ଅଞ୍ଚଳରେ ଭିତ୍ତିଭୂମିର ଯେପରି ଉନ୍ନତି ଘଟିଛି ତାହା ଅବିଶ୍ୱସନୀୟ। ପ୍ରାକ୍ଟିସ ଷ୍ଟାଡିୟମ ପ୍ରସ୍ତୁତ ହୋଇସାରିଛି ବୋଲି ଆମେ ଅନୁଭବ କରୁଛୁ। ଏହା ଅତି ସୁନ୍ଦର ଦେଖାଯାଉଛି। ତେଣୁ ଆମେ ରାଉରକେଲାରେ ଅଭ୍ୟାସ ପାଇଁ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ଚାହୁଁନାହୁଁ“ ବୋଲି କହିଛନ୍ତି ଅଧିନାୟକ ମନ୍‌ପ୍ରୀତ।

ଭାରତୀୟ ଦଳ ଏବେ ଅକ୍ଟୋବର ୨ ପର୍ଯ୍ୟନ୍ତ ବ୍ରେକ୍‌ରେ ରହିଛି। ଓଡ଼ିଶାରେ ଖେଳାଯିବାକୁଥିବା ନ୍ୟୁଜିଲାଣ୍ଡ ଓ ସ୍ପେନ୍‌ ବିପକ୍ଷ ପ୍ରୋ ଲିଗ୍‌ ମ୍ୟାଚ ପୂର୍ବରୁ ଖେଳାଳିମାନେ ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଜାତୀୟ କ୍ୟାମ୍ପକୁ ଫେରିବେ। ”ପ୍ରୋ ଲିଗ୍‌ ମ୍ୟାଚରେ ଆମେ ସ୍ପେନ୍‌ ବିପକ୍ଷରେ ଖେଳିବାକୁ ଥିବାରୁ ଖୁସି ଅଛୁ। କାରଣ ଆମେ ଏହି ମ୍ୟାଚରୁ ସେମାନଙ୍କ ଗେମ୍‌ ସମ୍ପର୍କରେ ଅବଗତ ହେବୁ ଏବଂ ବିଶ୍ୱକପ ପୂର୍ବରୁ ଆମକୁ ଆଉ କ’ଣ ଉନ୍ନତି କରିବାକୁ ପଡ଼ିବ ତା’ ଉପରେ ଧ୍ୟାନ ଦେବୁ। ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଆମର ପ୍ରଶଂସକମାନେ ଭୁବନେଶ୍ୱର ଓ ରାଉରକେଲା ଆସି ଆମକୁ ଉତ୍ସାହିତ କରିବା ନେଇ ଆଶା ରହିଛି“ ବୋଲି ମନ୍‌ପ୍ରୀତ ପ୍ରକାଶ କରିଛନ୍ତି।

Share