ସିଦ୍ଧୁଙ୍କ ଭଳି ମାରିଦେବାକୁ ମନୁଙ୍କୁ ମିଳିଛି ଧମକ, ୧୦ ଲକ୍ଷ ନ ଦେଲେ…

ବମ୍ବେ: ‘ବିଗ ବସ-୧୦’ ପ୍ରତିଯୋଗୀ ମନୁ ପଞ୍ଜାବୀଙ୍କୁ ହତ୍ୟା ଧମକ। ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଭଳି ତାଙ୍କୁ ମଧ୍ୟ ଜୀବନରେ ମାରିଦେବାକୁ ଧମକ ମିଳିଛି। ଏନେଇ ମନୁ ଟୁଇଟରରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି।

୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ଟଙ୍କା ଦିଅ। ପୋଲିସକୁ କିମ୍ବା ଅନ୍ୟ କାହାକୁ ଏନେଇ ସୂଚିତ କରିବ ନାହିଁ। ନଚେତ ସିଦ୍ଧୁଙ୍କ ଭଳି ତାଙ୍କୁ ହତ୍ୟା କରାଯିବ ବୋଲି ଏକ ଇମେଲ ଆସିଥିଲା। ଏନେଇ ସେ ପୋଲିସରେ ଅଭିଯୋଗ କରିବା ପରେ ଜୟପୁର ପୋଲିସ ତାଙ୍କୁ ସୁରକ୍ଷା ଦେବା ସହ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଗିରଫ କରିଛି। ଏହାଛଡ଼ା ଗତ ସପ୍ତାହରେ ମାନସିକ ଦୁଃଶ୍ଚିନ୍ତାରେ ଥିଲି ବୋଲି ମନୁ କହିଛନ୍ତି। ତେବେ ମନୁ ତାଙ୍କର ଏହି ଟୁଇଟ୍‌ରେ ଜୟପୁର ପୋଲିସର କିଛି ଅଧିକାରୀଙ୍କୁ ଟ୍ୟାଗ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ଓ ତାଙ୍କୁ ସୁରକ୍ଷା ଯୋଗାଇଥିବା ନେଇ ଧନ୍ୟବାଦ ଜଣାଇଛନ୍ତି।

ମିଳିଥିବା ସୂଚନାନୁଯାୟୀ, ଚିତ୍ରାକୋଟ ପୋଲିସ ମନୁଙ୍କୁ ଧମକ ଦେବା ଅଭିଯୋଗରେ ୩୧ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କ ନାମ କୁଲବୀର ସିଂ ଚୌହ୍ବାନ ବୋଲି ଜଣାପଡ଼ିଛି। ସେ ନିଜକୁ ଲରେନ୍ସ ବିଶ୍ନୋଇ ଗ୍ରୁପ୍‌ର ସଦସ୍ୟ ବୋଲି ଦାବି କରିଥିଲେ। ତେବେ ସେ ଜଣେ ଡ୍ରଗ୍‌ ଆଡିକ୍ଟ ବୋଲି ଜଣାପଡ଼ିଛି।

Share