Categories: ଜାତୀୟ

ସୁଡ଼ଙ୍ଗରେ ମାନୁଆଲ ଖନନ ଆରମ୍ଭ

ନୂଆଦିଲ୍ଲୀ,୨୮ା୧୧: ଉତ୍ତରକାଶୀର ସିଲ୍‌କ୍ୟାରା ସୁଡ଼ଙ୍ଗରେ ୧୬ ଦିନ ହେଲା ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସୋମବାର ହାତ ମେଶିନ୍‌ରେ ଖନନ ଆରମ୍ଭ ହୋଇଛି। ସେମାନେ ସମାନ୍ତରାଳ ଦିଗରେ ଖନନ କରୁଥିବାବେଳେ ମେଶିନ୍‌ ସହାୟତାରେ ଭୂଲମ୍ବ ଦିଗରେ ମଧ୍ୟ ଖନନ ଜାରି ରହିଛି। ଭୂଲମ୍ବ ଖନନ ୩୬ ମିଟରରୁ ଅଧିକ ହେଲାଣି। ଆମେରିକାର ଔଗର ଡ୍ରିଲିଂ ମେଶିନ୍‌ରେ ସମାନ୍ତରାଳ ଭାବେ ୪୬.୮ ମିଟର ଖୋଳାଯିବା ପରେ ଏହାର ଯନ୍ତ୍ରାଂଶ ଭାଙ୍ଗି ଭିତରେ ରହିଯିବାରୁ ଦୁଇଦିନ ହେଲା ଖୋଳା ବନ୍ଦ ରହିଥିଲା। ମେଶିନ୍‌ ଦ୍ୱାରା ଖୋଳିବା ସମ୍ଭବ ନ ହେବାରୁ ଏବେ ର଼୍ୟାଟ୍‌ ହୋଲ୍‌ ମାଇନିଂ ପ୍ରକ୍ରିୟା ଆପଣାଯାଇଛି। ମାନୁଆଲ ଖନନ କାର୍ଯ୍ୟରେ ସରକାରଙ୍କ ବିଭିନ୍ନ ସଂସ୍ଥା ସମେତ ସେନା ମଧ୍ୟ ସାମିଲ ହୋଇଛି। ଭାଙ୍ଗିଥିବା ଔଗର ମେଶିନ୍‌ର ଯନ୍ତ୍ରାଂଶଗୁଡ଼ିକୁ ମାଟିତଳୁ ବାହାର କରାଗଲାଣି। ଦକ୍ଷ ଖନନକାରୀମାନଙ୍କ ଦ୍ୱାରା ମାନୁଆଲ ଖନନ ଆରମ୍ଭ ହୋଇଥିବା ସୀମା ସଡ଼କ ସଂଗଠନ (ବିଆର୍‌ଓ)ର ପୂର୍ବତନ ଇଞ୍ଜିନିୟର ଇନ୍‌ ଚିଫ୍‌ ଲ୍ୟୁଟ୍‌ନାଣ୍ଟ ଜେନେରାଲ ହରପାଲ୍‌ ସିଂ କହିଛନ୍ତି।
ଅନ୍ୟପକ୍ଷରେ ଉତ୍ତରକାଶୀରେ ବର୍ଷା, ଘଡ଼ଘଡ଼ି, କୁଆପଥର ବର୍ଷା ହେବା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ୟେଲୋ ଓ୍ବାର୍ନିଂ ଜାରି କରିଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର, ସ୍ବରାଷ୍ଟ୍ର ସଚବ ଅଜୟ ଭାଲ୍ଲା ଏବଂ ଉତ୍ତରାଖଣ୍ଡ ମୁଖ୍ୟ ସଚିବ ଏସ୍‌.ଏସ୍‌. ସାନ୍ଧୁ ସୋମବାର ଉଦ୍ଧାର ସ୍ଥଳରେ ପହଞ୍ଚତ୍ ସ୍ଥିତି ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ସୁଡ଼ଙ୍ଗରେ ଫସିଥିବା ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲେ। ସେମାନଙ୍କ ପାଖକୁ ପଠାଯାଉଥିବା ଖାଦ୍ୟ ସମ୍ପର୍କରେ ସେ ପଚାରି ବୁଝିଥିଲେ।
ଉପର ଆଡ଼ୁ ୩୬ ମିଟର ଖୋଳା ସରିଥିବାବେଳେ ଶ୍ରମିକମାନଙ୍କ ପାଖରେ ପହଞ୍ଚତ୍ବାକୁ ଆଉ ୫୦ ମିଟର ଖୋଳିବାକୁ ହେବ। ଭୂଲମ୍ବ ଦିନରେ ୧.୨ ମିଟର ଓସାରର ପାଇପ୍‌ ଭର୍ତ୍ତି କରାଯାଉଛି। ଉକ୍ତ ପାଇପ୍‌ ଦେଇ ଶ୍ରମିକମାନଙ୍କୁ ଟନେଲରୁ ବାହାର କରାଯିବ। ସେହିପରି ସମାନ୍ତରାଳ ଭାବେ ଆଉ ୧୦ ମିଟର ଖୋଳିବାକୁ ଥିବାବେଳେ ସୋମବାର ଅଧା ମିଟରରୁ ଅଧିକ ଖୋଳାଯାଇଛି। ଯଦି ସବୁ ଠିକ୍‌ ଚାଲେ, ତେବେ ୨୪ରୁ ୩୬ ଘଣ୍ଟା ଲାଗିବ ବୋଲି ହରପାଲ ସିଂ କହିଛନ୍ତି। ର଼୍ୟାଟ୍‌ ହୋଲ୍‌ ମାଇନରମାନେ ପୂର୍ବରୁ ଦିଲ୍ଲୀ ଏବଂ ଅହମଦାବାଦରେ ଏଭଳି ଅପରେଶନ କରିଥିଲେ।

Share