ନୂଆଦିଲ୍ଲୀ: ଦେଶର ମାନୁଫାକ୍ଚରିଂ କ୍ଷେତ୍ର ପ୍ରଭାବିତ ସ୍ଥିତିରେ ରହିଛି। ଏହା ନଭେମ୍ବରରେ ୩ ମାସର ସର୍ବନିମ୍ନ ସ୍ତରକୁ ଖସିଯାଇଛି। ଫ୍ୟାକ୍ଟ୍ରି ଅର୍ଡର, ରପ୍ତାନି ଏବଂ କ୍ରେତାଙ୍କ କ୍ରୟ ଚାପଗ୍ରସ୍ତ ହେବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଆଇଏଚ୍ଏସ୍ ମାର୍କିଟ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ମାନୁଫାକ୍ଚରିଂ ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ (ପିଏମ୍ଆଇ) ଅକ୍ଟୋବରରେ ୫୮.୯% ରହିଥିଲା। ଏହା ନଭେମ୍ବରରେ ୫୬.୩% ସ୍ତରରେ ରହିଛି। ମାନୁଫାକଚରିଂ ସାମାନ୍ୟ ଖସିଥିଲେ ମଧ୍ୟ ଏବେ ମଧ୍ୟ ଦୃଢତା ବଜାୟ ରଖିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏହି ସୂଚୀ ୫୦ ସ୍ତରରୁ ଅଧିକ ରହିଲେ ମାନୁଫାକଚରିଂ ସମ୍ପ୍ରସାରଣ ହେଉଥିବା ଧରିନିଆଯାଏ। ନୂଆ ଅର୍ଡର ଆସିବା ଯୋଗୁ ମାନୁଫାକରିଂ ଟ୍ରାକକୁ ଫେରିବା ଧାରା ଜାରି ରହିଛି ବୋଲି ଆଇଏଚ୍ଏସ୍ ମାର୍କିଟର ଇକୋନୋମିକ୍ସ ଆସୋସିଏଟ ଡାଇରେକ୍ଟର ପଲିନା ଡି ଲିନା କହିଛନ୍ତି।
ଗତ ୩ ମାସରେ ଅର୍ଡର ଆସିବା ସାମାନ୍ୟ ଧୀମା ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। କୋଭିଡ୍-୧୯ ଯୋଗୁ ବଜାରର ବାଣିଜି୍ୟକ ଆତ୍ମ ବିଶ୍ୱାସ ଏବେ ମଧ୍ୟ ପ୍ରଭାବିତ ହୋଇ ରହିଛି। ନିଯୁକ୍ତି ମଧ୍ୟ କମିଛି। ଇନପୁଟ ଖର୍ଚ୍ଚ ଏବଂ ଆଉଟପୁଟ ଚାର୍ଜ ବଢିଥିବା ନଜରକୁ ଆସିଛି। ସେପ୍ଟେମ୍ବର ତ୍ରୈମାସରେ ଆସିଥିବା ଜିଡିପି ଡାଟା ମୁତାବକ ଅଭିବୃଦ୍ଧି ପ୍ରଭାବିତ ହୋଇ ରହିଛି। ଜିଡିପି ହ୍ରାସ ୭.୫% ସ୍ତରରେ ରହିଛି। ଏହା ପୂର୍ବ ତ୍ରମୈାସ ତୁଳନାରେ କମ୍ ରହିଛି। ପ୍ରଥମ ତ୍ରୈମାସରେ ଜିଡିପି ୨୩.୯% ଖସିଥିଲା। ଲଗାତର ଦୁଇ ତ୍ରୈମାସ ଧରି ଜିଡିପି ଖସିଥିବାରୁ ଭାରତ ମାନ୍ଦାବସ୍ଥା ବଳୟରେ ରହିଥିବା ଜଣାପଡିଛି।