Categories: ଜାତୀୟ

ବହୁ ଭାଜପା ବିଧାୟକ ବାଡ଼ ଡେଇଁବେ: ଦିଗ୍‌ବିଜୟ

ଭୋପାଳ,୨୭।୯ : ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବ। ୭୮ଟି ଆସନରେ ଭାଜପା ଏପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ ରାଜ୍ୟରେ ନିର୍ବାଚନ ପୂର୍ବରୁ ଭାଜପାରେ ବୃଦ୍ଧି ପାଉଥିବା ବିଦ୍ରୋହ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ରାଜ୍ୟ ସଭା ସଦସ୍ୟ ଦିଗ୍‌ବିଜୟ ସିଂଙ୍କ ଏକ ଦାବି ନେଇ ସେଠାକାର ରାଜନୈତିକ ମହଲ ସରଗରମ ହୋଇଛି। ଦିଗ୍‌ବିଜୟ କହିଛନ୍ତି, ବହୁ ଭାଜପା ନେତା କଂଗ୍ରେସରେ ଯୋଗ ଦେବାକୁ ଚାହୁଁଛନ୍ତି। କାରଣ ବିଧାନସଭା ନିର୍ବାଚନରେ ଭାଜପା ନେତାମାନେ ପରାଜୟ ଆଶଙ୍କାରେ କଂଗ୍ରେସରେ ଯୋଗଦେବାକୁ ଆଗ୍ରହୀ ଅଛନ୍ତି। ଅପରପକ୍ଷରେ ଦୀର୍ଘ ୧୮ ବର୍ଷ ଧରି ମଧ୍ୟପ୍ରଦେଶରେ କ୍ଷମତାରେ ଥିବା ଭାଜପା ସରକାର ଏବଂ ଏହାର ମନ୍ତ୍ରୀମାନେ ପାପ ଧୋଇ ପାରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଶ୍ଚିତ ଅଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ ଦିଗ୍‌ବିଜୟ କହିଛନ୍ତି, ମଧ୍ୟପ୍ରଦେଶରେ ଭାଜପାକୁ କ୍ଷମତାରୁ ହଟାଇବାକୁ ଲୋକେ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଶାସକ ଦଳର ନେତା ହୃଦୟଙ୍ଗମ କରି ସାରିଲେଣି। ତେଣୁ ଏବେ ଭାଜପା ନେତାଙ୍କ ବାଡ଼ ଡିଆଁ କଂଗ୍ରେସ ଶିବିର ଆଡ଼କୁ ମୁହଁାଇଛି ବୋଲି ସେ କହିଛନ୍ତିି।

Share