Categories: ଜାତୀୟ

ନିର୍ବାଚନ ପୂର୍ବରୁ ବହୁ ଭାଜପା ବିଧାୟକ ଡେଇଁବେ ବାଡ: ଦିଗବିଜୟ ସିଂ…

ଭୋପାଳ,୨୬।୯ : ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବ। ରାଜ୍ୟର ୭୮ଟି ଆସନରେ ଭାଜପା ଏପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ବୃଦ୍ଧି ପାଉଥିବା ବିଦ୍ରୋହ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ରାଜ୍ୟସଭା ଏମପି ଦିଗବିଜୟ ସିଂଙ୍କ ଏକ ଦାବି ନେଇ ଏବେ ରାଜନୈତିକ ମହଲରେ ଉଷ୍ଣତା ଭରିବାରେ ଲାଗିଛି। ସେ କହିଛନ୍ତି ବହୁ ଭାଜପା ନେତା କଂଗ୍ରେସରେ ଯୋଗ ଦେବାକୁ ଚାହୁଁଛନ୍ତି।

ବିଧାନସଭା ନିର୍ବାଚନରେ ଭାଜପାର ବହୁ ନେତା ପରାଜୟ ଆଶଙ୍କାରେ କଂଗ୍ରେସରେ ଯୋଗଦେବାକୁ ଆଗ୍ରହୀ ଅଛନ୍ତି। ବିଗତ ୧୮ ବର୍ଷ ଧରି ମଧ୍ୟପ୍ରଦେଶରେ କ୍ଷମତାରେ ଥିବା ଭାଜପା ସରକାର ଏବଂ ଏହାର ମନ୍ତ୍ରୀମାନଙ୍କର ପାପ ଧୋଇ ପାରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଶ୍ଚିତ ଅଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଛନ୍ତି ମଧ୍ୟପ୍ରଦେଶରେ ଭାଜପାକୁ କ୍ଷମତାରୁ ହଟାଇବାକୁ ଲୋକମାନେ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଶାସକ ଦଳର ନେତା ହୃଦୟଙ୍ଗମ କରି ସାରିଲେଣି। ତେଣୁ ଏବେ ନେତାଙ୍କ ବାଡ଼ ଡିଆଁ ଭାଜପାରୁ କଂଗ୍ରେସ ଶିବିର ଆଡକୁ ହେବାକୁ ଯାଉଛି।

Share