୫ ବର୍ଷ ମଧ୍ୟରେ ବୁଡ଼ିଯିବ ମୁମ୍ବାଇ ଭଳି ବହୁ ସହର,ଭାଙ୍ଗୁଛି ବିଶାଳକାୟ ହିମ ପାହାଡ଼…

ଓ୍ବାଶିଂଟନ, ୧୪।୧୨: ଆଣ୍ଟାର୍କଟିକାରେ ବିଶାଳକାୟ ହିମପାହାଡ଼ରେ ଫାଟ ଦେଖାଦେଇଛି। ଏହି ହିମ ପାହାଡ଼ର ଲମ୍ବ ୧୭୦,୩୧୨ କିଲୋମିଟର। ଏହା ଆମେରିକାର ଫ୍ଲୋରିଡା ରାଜ୍ୟ ସହିତ ସମାନ ବୋଲି ପରିବେଶବିତ୍‌ ମତପୋଷଣ କରିଛନ୍ତି। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଏହି ହିମ ପାହାଡ଼ ଆସନ୍ତା ୫ ବର୍ଷ ମଧ୍ୟରେ ଭାଙ୍ଗିଯିବ। ଯାହା ଦ୍ୱାରା ସମୁଦ୍ରର ଜଳ ସ୍ତର ୨୫ ଇଞ୍ଚ ବୃଦ୍ଧି ପାଇବ।

ଏହି କାରଣରୁ, ମୁମ୍ବାଇ ସମେତ ପୃଥିବୀର ଅନ୍ୟ ଉପକୂଳବର୍ତ୍ତୀ ସହର ବୁଡ଼ିବାର ଆଶଙ୍କା ଦେଖାଦେଇଛି ବୋଲି ପ୍ରଫେସର ଟେଡ ସ୍କାବୋସ କହିଛନ୍ତି। ଆମେରିକୀୟ ଜିଓଫିଜିକାଲ ୟୁନିଅନର ବାର୍ଷିକ ବୈଠକରେ ଏହି ବିଷୟରେ ସାଟେଲାଇଟ ଦ୍ୱାରା ପଠାଯାଇଥିବା ତଥ୍ୟ ଉପସ୍ଥାପିତ ହୋଇଛି।

ଏନେଇ ଓରେଗନ ଷ୍ଟେଟ ୟୁନିଭର୍ସିଟିର ଗବେଷକ ଦଳର ମୁଖ୍ୟ ଇରେନ ପେଟ୍ଟିଟ କହିଛନ୍ତି ଯେ, ଏହି ବିଶାଳକାୟ ହିମପାହାଡ଼ ଭାଙ୍ଗିବା ଦ୍ୱାରା ବିଶ୍ୱ ସ୍ତରରେ ସମୁଦ୍ର ପତ୍ତନ ତିନି ଗୁଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହା ଭାଙ୍ଗିବା ପରେ ଅନ୍ୟ ହିମପାହାଡ଼ଗୁଡ଼ିକ ମଧ୍ୟ ଆଣ୍ଟାର୍କଟିକାଠାରୁ ଅଲଗା ହୋଇଯିବ। ଏକ ଅନୁସନ୍ଧାନ ଅନୁଯାୟୀ, ୧୯୮୦ ଦଶକରୁ ଅତି କମରେ ୫୦୦ ଶହ କୋଟି ଟନ ବରଫ ନଷ୍ଟ ହୋଇଛି। ବିଶ୍ୱତାପନ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ହୋଇଥିବା ପରିବେଶ୍‌ବିତ୍‌ କହିଛନ୍ତି।

Share