ବାଣ ବିସ୍ଫୋରଣ ଘଟଣାକୁ ନେଇ ଉଠିଲା ଅନେକ ପ୍ରଶ୍ନ

ପୁରୀ,୩୧ା୫(ଅଜିତ ମହାନ୍ତି): ମହାପ୍ରଭୁଙ୍କ ଭଉଁରି ଯାତ୍ରା ଅବସରରେ ବୁଧବାର ସନ୍ଧ୍ୟାରେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଘଟିଥିବା ବାଣ ବିସ୍ଫୋରଣ ଘଟଣା ପୁରୀବାସୀଙ୍କୁ ସ୍ତବ୍ଧ କରିଦେବା ସହ ମୃତାହତଙ୍କ ପରିବାରରେ ଦୁଃଖଦ ପରିବେଶ ସୃଷ୍ଟି କରିଛି। ବାଣ ବିସ୍ଫୋରଣରେ ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ଜଣେ ଶିଶୁ ସମେତ ୩ଜଣଙ୍କ ଜୀବନ ଯାଇଛି। ୨୭ରୁ ଊର୍ଦ୍ଧ୍ୱ ଆହତ ଏବେ ଚିିକିତ୍ସାଧୀନ ଅଛନ୍ତି। ଏଭଳି ଘଟଣା ପୁରୀ ସହରରେ ପ୍ରଥମ ବୋଲି କୁହାଯାଉଥିବାବେଳେ ଏହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଙ୍କି ମାରିଛି। ଭଉଁରି ଯାତ୍ରାରେ ବାଣ ଫୁଟାଇବା ନିଷିଦ୍ଧ ହୋଇଥିଲେ ମଧ୍ୟ କିଏ ବାଣ ଫୁଟାଉଥିଲେ? ଏଥିପାଇଁ କିଏ ଅନୁମତି ଦେଇଥିଲେ? ଏତେ ବାଣ ଘଟଣାସ୍ଥଳରେ କାହିଁକି ଗଚ୍ଛିତ ରଖାଯାଇଥିଲା? ସେଠାରେ କାହିଁକି ପୋଲିସ କିମ୍ବା ଅଗ୍ନିଶମ ବିଭାଗର କର୍ମଚାରୀ ଉପସ୍ଥିତ ନ ଥିଲେ ଏବଂ ଲୋକଙ୍କୁ ବାଣଫୁଟା ସ୍ଥାନଠାରୁ କାହିଁକି ଦୂରେଇ ରଖିବାକୁ ପଦକ୍ଷେପ ନିଆଯାଇ ନ ଥିଲା ଆଦି ଅନେକ ପ୍ରଶ୍ନ ଉଠିଛି। ସେହିପରି ପର୍ଯ୍ୟଟନ ସହର ପୁରୀକୁ ବିଶ୍ୱସ୍ତରୀୟ କରାଯିବାକୁ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଥିବାବେଳେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମି ଓ ଡାକ୍ତର ଅଭାବ ସମସ୍ୟା ପ୍ରତି ବିଶେଷ ଦୃଷ୍ଟି ଦିଆଯାଉ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ପୁରୀ ସହରର ଅନେକ ବାସିନ୍ଦା ଏ ନେଇ ପ୍ରଶାସନର ଢିଲା ମନୋଭାବକୁ ଦାୟୀ କରିଛନ୍ତି।
ଅଧୁରା ରହିଲା ରିଷିକେଶଙ୍କ ସ୍ବପ୍ନ
ପୁରୀ ମାଟିଆପଡ଼ା ଅଞ୍ଚଳର ୧୫ ବର୍ଷୀୟ ରିଷିକେଶ କର୍ମକାରଙ୍କ ସ୍ବପ୍ନ ଅଧୁରା ରହିଗଲା। ସେ ଦଶମ ଶ୍ରେଣୀରେ ପଢୁଥିଲେ ଓ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥାନ୍ତେ। ସେ ନିଜ ଭବିଷ୍ୟତ ନେଇ ଅନେକ ସ୍ବପ୍ନ ଦେଖୁଥିଲେ। ସେହିପରି ତାଙ୍କ ମା’, ବାପା ମଧ୍ୟ ପୁଅକୁ ବଡ଼ ମଣିଷ କରିବାର ସ୍ବପ୍ନକୁ ସାକାର କରିବା ପାଇଁ ସଂଘର୍ଷ ଓ ପ୍ରୟାସ ଜାରି ରଖିଥିଲେ। ହେଲେ ବାଣ ବିସ୍ଫୋରଣ ଘଟଣା ସବୁ ସ୍ବପ୍ନକୁ ଉଜାଡ଼ି ଦେଇଛି। ବାଣ ବିସ୍ଫୋରଣରେ ରିଷିକେଶଙ୍କ ଜୀବନ ଯାଇଛି। ଫଳରେ ରିଷିକେଶଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି।
‘ଚିକିତ୍ସା ସୁବିଧା ଅଭାବ ଯୋଗୁ ପୁଅର ଜୀବନ ଗଲା’
ରିଷିକେଶଙ୍କ ମା’ ସସ୍ମିତା କର୍ମକାର କୋହଭରା କଣ୍ଠରେ କହିଛନ୍ତି, ମୋ’ ପୁଅ ଘଟଣାସ୍ଥଳରେ ଥିଲେ। ପୁଅ ଦେହରେ ବାଣ ପଡ଼ିବାରୁ ଆହତ ହୋଇ ଯନ୍ତ୍ରଣାସିକ୍ତ ଅବସ୍ଥାରେ ନରେନ୍ଦ୍ର ପୁଷ୍କରିଣୀକୁ ଡେଇଁପଡ଼ିଥିଲେ। ସେଠାରୁ ଉଦ୍ଧାର ପରେ ତାଙ୍କୁ ବହୁ ବିଳମ୍ବରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଗଲା। ପରେ କଟକର ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ବିଳମ୍ବିତ ରାତିରେ ରିଷିକେଶଙ୍କ ମୃତ୍ୟୁ ଘଟିଥିଲା। ପୁରୀ ମୁଖ୍ୟ ଚିକିତ୍ସାଳୟରେ ବର୍ନ ୟୁନିଟ ନ ଥିବାରୁ ତୁରନ୍ତ ଉପଯୁକ୍ତ ଚିକିତ୍ସା କରାଯାଇପାରିଲା ନାହିଁ। ସେହିପରି ସେଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଅଭାବ ସାଙ୍ଗକୁ ଭିତ୍ତିଭୂମି ସମସ୍ୟା ରହିଛି। ଫଳରେ ମୋ’ ପୁଅର ଜୀବନ ଅକାଳରେ ଚାଲିଗଲା।
‘ଆମ୍ବୁଲାନ୍ସ ମିଳିଲାନି, ବାଇକ୍‌ରେ ଆସିଲି’
ବାଣ ବିସ୍ଫୋରଣରେ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣେ ମହିଳା କହିଛନ୍ତି, ରାତି ପ୍ରାୟ ୧୦ଟା ୧୦ ବେଳେ ଏହି ଦୁଃଖଦ ଘଟଣା ଘଟିଲା। ସେଠାରେ ଥିବା ପଥର ପାଚେରୀ ପାହାଚ ଉପରେ ବସି ୫୦ରୁ ୬୦ଜଣ ଲୋକ ଆତସବାଜି ପ୍ରଦର୍ଶନ ଦେଖୁଥିଲେ। ମୁଁ, ମୋ’ ସ୍ବାମୀ ଓ ଆମର କେତେଜଣ ସମ୍ପର୍କୀୟ ମଧ୍ୟ ଉପସ୍ଥିତ ଥିଲେ। ଫୁଟୁଥିବା ଏକ ବାଣର ଝୁଲ ଛିଟିକି ପାଖରେ ଗଚ୍ଛିତ ରହିଥିବା ବାଣଗୁଡ଼ିକ ଉପରେ ପଡ଼ିଥିଲା। ଫଳରେ ଏକସଙ୍ଗେ ବିସ୍ଫୋରଣ ଘଟିବା ସହ ଚାରିଆଡ଼ ଧୂଆଁମୟ ହୋଇଯାଇଥିଲା। ଆମେ କେହି କିଛି ଦେଖିପାରି ନ ଥିଲୁ। ଅନେକ ଲୋକଙ୍କ ଉପରେ ନିଆଁ ଛିଟିକି ପଡ଼ିବାରୁ ପୋଡ଼ିଯାଇ ଚିତ୍କାର କରୁଥିଲେ। କେତେଜଣ ଲୋକ ପ୍ରାଣ ବିକଳରେ ପୁଷ୍କରିଣୀକୁ ଡେଇଁ ପଡ଼ିଥିଲେ। ମୋ’ ସ୍ବାମୀ ମଧ୍ୟ ପୁଷ୍କରିଣୀକୁ ଡେଇଁ ଜୀବନ ବଞ୍ଚାଇଥିଲେ। ମୋତେ ଡାକ୍ତରଖାନା ଆଣିବାକୁ ଆମ୍ବୁଲାନ୍ସ ମିଳିଲାନାହିଁ। ମୋ’ ପୁଅ ମୋତେ ବାଇକ୍‌ରେ ବସାଇ ଡାକ୍ତରଖାନା ଆଣିଲା।
ଅନେକ ପରିବାରରେ ଚୁଲି ଜଳିନି
କେତେଜଣ ମୃତାହତଙ୍କ ପରିବାରରେ ଗୁରୁବାର ଚୁଲି ଜଳିନି। ଦୁଃଖ ଓ ନୀରବତା ଛାଇଯାଇଛି। କଟକ ଓ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ଆହତଙ୍କ ପାଖରେ ପରିବାର ଲୋକେ ଓ ସମ୍ପର୍କୀୟମାନେ ରହିଥିବା ସୂଚନା ମିଳିଛି। ସେହିପରି ପୁରୀର ବିଭିନ୍ନ ସଙ୍ଗଠନ ପକ୍ଷରୁ ମୃତକଙ୍କ ଆତ୍ମାର ଶାନ୍ତି ଉଦ୍ଦେଶ୍ୟରେ ଦୀପଦାନ ଓ ପ୍ରାର୍ଥନା କରାଯାଇଛି।
ସହାୟତାର ହାତ ବଢାଇଲେ ସ୍ବେଚ୍ଛାସେବୀ
ଆହତମାନଙ୍କୁ ଉଦ୍ଧାର କରିବାରେ ସହାୟତାର ହାତ ବଢାଇଥିଲେ ସ୍ଥାନୀୟ ବାସିନ୍ଦା ଓ ସ୍ବେଚ୍ଛାସେବୀ। ବାଣ ବିସ୍ଫୋରଣରେ ଆହତ ହୋଇ ଅନେକ ଲୋକ ତଳେ ପଡ଼ିଥିବା ବେଳେ କିଛି ଲୋକ ପୁଷ୍କରିଣୀକୁ ଡେଇଁ ପଡିଥିଲେ। ଅଗ୍ନିଶମ କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ଓ ବିଭିନନ୍ନ ଅନୁଷ୍ଠାନର ସ୍ବେଚ୍ଛାସେବୀମାନେ ସହଯୋଗ କରିଥିଲେ। ସେମାନେ ଘରୋଇ ଗାଡ଼ି କରି ଆହତଙ୍କୁ ମେଡିକାଲକୁ ଆଣିଥିଲେ। ଅନେକ ସ୍ବେଚ୍ଛାସେବୀ ମେଡିକାଲରେ ମଧ୍ୟ ବିଭିନ୍ନ ସହାୟତା ଯୋଗାଇ ଦେଇଥିଲେ।
‘କଟକଣା ପ୍ରସଙ୍ଗ ପରିଚାଳନା କମିଟିରେ ଉଠାଇବି’
ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ସେବାୟତ ମାଧବ ଚନ୍ଦ୍ର ମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କ ବିଭିନ୍ନ ଯାନିଯାତ୍ରାରେ ଆଗକୁ ବାଣ ଫୁଟାଇବା ଉପରେ କଟକଣା ଲଗାଇବା ନିମେନ୍ତ ପରିଚାଳନା କମିଟିରେ ସେ ପ୍ରସ୍ତାବ ଆଗତ କରିବେ। ସେହିପରି ଚନ୍ଦନଯାତ୍ରା ୨୧ ଦିନ ହେଉଛି, ତେଣୁ ସେହି ସମୟରେ ଲୋକଙ୍କ ବୀମା କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯିବ। ଅପରପକ୍ଷରେ ରାଜ୍ୟ ସରକାର ଯେପରି ପୁରୀର ବିକାଶ କରିଛନ୍ତି, ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟର ବିକାଶ ହେବା ଆବଶ୍ୟକ ବୋଲି ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri