ଫେବୃୟାରୀ ୧ରୁ ବଦଳିଯିବ ବ୍ୟାଙ୍କ ସହ ଜଡ଼ିତ ଏସବୁ ବଡ଼ ନିୟମ; ଏବେଠୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୯।୧: ନୂଆ ବର୍ଷ ୨୦୨୨ର ପ୍ରଥମ ମାସ ଅର୍ଥାତ ଜାନୁୟାରୀ ଶେଷ ହେବାକୁ ଯାଉଛି। ଫେବୃୟାରୀ ପହିଲାରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ । ବଜେଟ ବ୍ୟୟବରାଦ ଅନୁସାରେ ଅର୍ଥ ବ୍ୟବସ୍ଥା ସହ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପଡ଼ିବ । ଏହାଛଡ଼ା ପହିଲାରୁ କେତେକ ବ୍ୟାଙ୍କ ସେମାନଙ୍କ ନିୟମରେ ପରିବର୍ତ୍ତନ ଆଣୁଛନ୍ତି ।

ବଡ଼ ପରିବର୍ତ୍ତନ କରିବ ଏସ୍‌ବିଆଇ:
ଫେବୃୟାରୀ ପହିଲାରୁ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଟଙ୍କା ଦେଣନେଣ ନିୟମରେ ପରିବର୍ତ୍ତନ କରିବ । ୨ ଲକ୍ଷରୁ ୫ ଲକ୍ଷ ଯାଏ ଟଙ୍କା ଆଇଏମ୍‌ପିଏସ୍‌ ଜରିଆରେ ପଠାଇଲେ ୨୦ ଟଙ୍କା ସହ ଜିଏସଟି ଚାର୍ଜ ଦେବାକୁ ପଡ଼ିବ । ଅର୍ଥାତ ଏବେ ଟଙ୍କା ପଠାଇବା ମହଙ୍ଗା ହେବ। ତେବେ ୨୦୨୧ ଅକ୍ଟୋବରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇଏମ୍‌ପିଏସ୍‌ ଜରିଆରେ ଦୈନିକ ହେଉଥିବା ନେଣଦେଣର ସୀମାକୁ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବଢ଼ାଇଥିଲା ।

-ବ୍ୟାଙ୍କ ଅଫ୍‌ ବରୋଦା ନିୟମରେ ପରିବର୍ତ୍ତନ:
ଫେବୃୟାରୀ ପହିଲାରୁ ପରିବର୍ତ୍ତିତ ହେଉଥିବା ନିୟମ ମଧ୍ୟରେ ବ୍ୟାଙ୍କ ଅଫ ବରୋଦା ଚେକ କ୍ଲିଅରାନ୍ସ ସମ୍ବନ୍ଧିତ ନିୟମ ରହିଛିି । ପହିଲାରୁ ଚେକ ପେମେଣ୍ଟ ଲାଗି ଗ୍ରାହକଙ୍କୁ ପଜିଟିଭ୍‌ ପେ ସିଷ୍ଟମ ଅନୁସରଣ କରିବାକୁ ପଡ଼ିବ । ଅର୍ଥାତ୍‌ ଚେକର ତଥ୍ୟ ପଠାଇଲେ ହିଁ ଚେକ କ୍ଲିଅର୍‌ ହେବ । ତେବେ ୧୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଚେକ କାରବାର ଉପରେ ଏହି ପରିବର୍ତ୍ତନ ଲାଗୁ ହେବ ।
-କଠୋର ହେଲା ପିଏନ୍‌ବି:
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଫେବୃୟାରୀ ୧ରୁ ଆଣୁଥିବା ପରିବର୍ତ୍ତନ ଆପଣଙ୍କ ପକେଟକୁ ବାଧିପାରେ । କାରଣ ଯଦି ଆପଣଙ୍କ ଆକାଉଣ୍ଟରେ ଟଙ୍କା ନ ଥିବା କାରଣରୁ କୌଣସି ଅଟୋ ଡେବିଟ କିସ୍ତି ବିଫଳ ହେଉଛି, ତାହେଲେ ଆପଣଙ୍କୁ ୨୫୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ପୂର୍ବରୁ ଜରିମାନା ରାଶି ୧୦୦ ଟଙ୍କା ଥିଲା । ଏବେ ଆପଣଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ।

-ଗ୍ୟାସ ସିଲିଣ୍ଡର ଦାମ୍‌ରେ ହୋଇପାରେ ପରିବର୍ତ୍ତନ:
ପ୍ରତି ମାସର ପହିଲାରେ ରୋଷେଇ ଗ୍ୟାସର ମୂଲ୍ୟ ଧାର୍ଯ୍ୟ କରାଯାଇଥାଏ। ଏଥର ବଜେଟ ମଧ୍ୟ ଆସୁଛି। ଏଣୁ ଫେବୃୟାରୀ ପହିଲାରେ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ରେ କେଉଁ ପ୍ରଭାବ ପଡ଼ୁଛି ଦେଖିବାକୁ ହେବ। ଯଦି ଦାମ ବଢ଼େ ତେବେ ପକେଟକୁ ବାଧିବ।

Share