ଗରଡ଼ମା ପଞ୍ଚାୟତର ବହୁ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଆର.ଉଦୟଗିରି,୮ା୮(ଡି.ଏନ.ଏ.):ମୋହନା ବ୍ଲକ ଗରଡ଼ମା ପଞ୍ଚାୟତର କିଛି ଗାଁ ରହିଛି ବର୍ଷା ଦିନ ହେଲେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଉଛି। ଗରଡ଼ମା ପଞ୍ଚାୟତରେ ରହିଥିବା ଲିମବାଡ, ନାକେଜୁ, ମାତାକୁପା, କାମ୍ବୁଜ ପ୍ରଭୃତି ଗାଁ। ସେହି ଅଞ୍ଚଳର ଜନସାଧାରଣ କିପରି ନିଜ ଜୀବନକୁ ପାଣି ଛଡାଇ ନଦୀ ଓ ପାହାଡିଆ ନାଳ ପାର ହେଉଛନ୍ତି ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣା ବିକା ସହ ଜୀବନ କାଟୁଥିବା ବେଳେ ଛୋଟ ଛୋଟ ଛାତ୍ରୀଛାତ୍ର ଜୀବନକୁ ବାଜି ଲଗାଇ ବିଦ୍ୟାଳୟକୁ ଶିକ୍ଷା ଗ୍ରହଣ କରିବାକୁ ଯାଉଛନ୍ତି। ଗାଁକୁ ରାସ୍ତା ନଥିବାରୁ ପିଲାମାନେ ବିଦ୍ୟାଳୟ ଯିବା ତ ଦୂରର କଥା, ଦେହ ଖରାପ ହେଲେ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ଆମ୍ବୁଲାନ୍ସ ନଯିବା ଯୋଗୁ ସ୍ବାସ୍ଥ୍ୟ ସେବା ଏମାନଙ୍କ ପାଇଁ ସାତ ସପନ। ଏହି ଅଞ୍ଚଳର ଲୋକମାନେ ସାଧାରଣତଃ ପଡୋଶୀ ପଞ୍ଚାୟତ ମାଣ୍ଡିମେରା ଓ ବ୍ଲକ ସଦର ମହକୁମା ମୋହନା ଉପରେ ନିର୍ଭର କରିଥାନ୍ତି। ହେଲେ ବର୍ଷା ହେଲେ ଏହି ଅଞ୍ଚଳ କଥା ନକହିବା ଭଲ। ଯେତିକି ଅଳ୍ପ ବହୁତ ରାସ୍ତା ଅଛି ତାହା ପୁଣି ଚିକିଟା ମାଟିରେ ଭରପୁର। ଫଳରେ ବାଇକ୍‌ ହେଉ କିମ୍ବା ପାଦ ଚଲା ଚାଲିବା ବହୁତ କଷ୍ଟକର। ତେବେ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ପାଖରେ ଦାବି ଜଣାଇ ଆସୁଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହେଉଛି। ମୌଳିକ ସୁବିଧା ନ ପାଇ ଅଞ୍ଚଳବାସୀ ବର୍ତ୍ତମାନ ହତାଶ। ଏହା ସହ ଗତ କିଛି ବର୍ଷ ପୂର୍ବେ ସେହି ଅଞ୍ଚଳର ବାସିନ୍ଦା ଆମ୍ବ ଟାକୁଆ ଖାଇ ସ୍ବାସ୍ଥ୍ୟ ସେବା ନ ପାଇ ମୃତ୍ୟୁବରଣ କରିଥିବା ବେଳେ ଆଜି ମଧ୍ୟ ସେହି ଅଞ୍ଚଳ ଜନସାଧାରଣ ସମସ୍ତ ସୁବିଧାରୁ ବଞ୍ଚିତ ଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଗରଡ଼ମା ଠାରେ ଜନଶୁଣାଣୀ ଶିବିର ଥିବାବେଳେ ସ୍ଥାନୀୟ ଜନସାଧାରଣ ନଦୀ ଉପରେ ଶଙ୍ଖ(ପୋଲ) ନିର୍ମାଣ କରିବା ନିମନ୍ତେ ଦାବି କରିବେ ବୋଲି କହିଛନ୍ତି। ଜିଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଲୋକଙ୍କ ଅସୁବିଧା ସୁଧାରିବା ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।