ଭବାନୀପାଟଣା,୨୬।୬(ସ୍ବ.ପ୍ର.): କଳାହାଣ୍ଡି-କନ୍ଧମାଳ ଜିଲା ସୀମାନ୍ତରେ ଗତ ଗୁରୁବାର ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଘଟଣାର ୩ ପରେ କଳାହାଣ୍ଡି ଜିଲା ମଦନପୁର ରାମପୁର ବ୍ଲକ ମୁଣ୍ଡାମସ୍କା ସଂରକ୍ଷିତ ଜଙ୍ଗଲରେ ଏକ ମାଓବାଦୀ କ୍ୟାମ୍ପ ଠାବ ହୋଇଛି। କୋମ୍ବିଂ ଅପରେଶନ ବେଳେ ସେଠାରୁ ମାଓବାଦୀ ପୁସ୍ତକ, ପୋଷ୍ଟର, ଆଇଇଡି, ବିପୁଳ ପରିମାଣର ଔଷଧ, ମାଓବାଦୀ ପୋଷାକ ସହ ଅନେକ ସାମଗ୍ରୀ ଜବତ ହୋଇଛି ବୋଲି ରବିବାର କଳାହାଣ୍ଡି ପୋଲିସ ପକ୍ଷରୁ ଭବାନୀପାଟଣା ରିଜର୍ଭ ପୋଲିସ ପଡ଼ିଆରେ ଆୟୋଜିତ ଖବରଦାତା ସମ୍ମିଳନୀରେ କଳାହାଣ୍ଡି ଏସ୍ପି ଅଭିଳାଶ ଜି ସୂଚନା ଦେଇଛନ୍ତି।
କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଡିଭିଜନାଲ କମିଟିର ମାଓବାଦୀ କମାଣ୍ଡର ନିଖିଲ, ଦଶରୁ, ଅନୀଲ ଓ ମମତା କ୍ୟାମ୍ପରେ ଥିବା ଖବର ପାଇ ଏସଓଜି, ଡିଭିଏଫ୍ ଓ ସିଆର୍ପିଏଫ୍ ପକ୍ଷରୁ ମୁଣ୍ଡାମସ୍କା ସଂରକ୍ଷିତ ଜଙ୍ଗଲରେ ମିଳିତ କୋମ୍ବିଂ ଅପରେଶନ ହୋଇଥିଲା। ଏହି ସମୟରେ ପ୍ରାୟ ୨୫ରୁ ୩୦ଜଣ ମାଓବାଦୀଙ୍କ ସହ ନିଖିଲ, ଦଶରୁ, ଅନୀଲ ଓ ମମତା ଛତ୍ରଭଙ୍ଗ ଦେଇଥିବା ପୋଲିସ ସୂଚନା ଦେଇଛି। ଖବରଦାତା ସମ୍ମିଳନୀରେ କଳାହାଣ୍ଡି ଏସ୍ପିଙ୍କ ସମେତ ସିଆର୍ପିଏଫ୍ କମାଣ୍ଡାଣ୍ଟ ବିପ୍ଲବ ସରକାର, ସିଆର୍ପିଏଫ୍ ଅପରେଶନ ହେଡ ପ୍ରଭାତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।