ଛତ୍ରଭଙ୍ଗ ଦେଲେ ମାଓବାଦୀ, ବିଭିନ୍ନ ସାମଗ୍ରୀ ଜବତ

ଭବାନୀପାଟଣା,୭।୧୧(ସ୍ବ.ପ୍ର.): କଳାହାଣ୍ଡି ଓ କନ୍ଧମାଳ ଜିଲା ସୀମାନ୍ତ ମଦନପୁର ରାମପୁର ଥାନା ଅନ୍ତର୍ଗତ ପାଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲରେ ଡିଭିଏଫ୍‌ ଓ ଏସ୍‌ଓଜି ପକ୍ଷରୁ ମିଳିତ କୋମ୍ବିଂ ଅପରେଶନ କରାଯାଇଛି। ଏହି ସମୟରେ ଯବାନଙ୍କୁ ଦେଖି ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ। ବର୍ତ୍ତମାନ ସୁଦ୍ଧା ପାଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲରେ କୋମ୍ବିଂ ଅପରେଶନ ଜାରି ରହିଥିବା ନେଇ କଳାହାଣ୍ଡି ଏସ୍‌ପି ଅଭିଳାଷ ଜି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, କିଛି ଦିନ ହେଲା ପାଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଚଳପ୍ରଚଳ ନେଇ କଳାହାଣ୍ଡି ଏସ୍‌ପି ଅଭିଳାଷ ଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ। ଏହା ପରେ ଏସ୍‌ଓଜି, ଡିଭିଏଫକୁ ନେଇ ଏକ ଆଣ୍ଟି ମାଓବାଦୀ ଅପରେଶନ ଲଞ୍ଚ କରିଥିଲେ। ପାଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲରେ ଯବାନଙ୍କ କୋମ୍ବିଂ ଅପରେଶନ ବେଳେ ମାଓବାଦୀ ଏହାର ଖବର ପାଇ ଛତ୍ରଭଙ୍ଗ ଦେଇଥିଲେ। କାଲେସୁର ଗାଁ ନିକଟରୁ ଯବାନମାନେ ଏକ ମାଓବାଦୀ କ୍ୟାମ୍ପ ଠାବ କରିଥିଲେ। କ୍ୟାମ୍ପରୁ ଅନେକ ମାଓବାଦୀ ପୁସ୍ତକ, ବ୍ୟାନର ସହ ବହୁ ସାମଗ୍ରୀ ଜବତ କରାଯାଇଛି।

Share