ମାଲକାନଗିରି,୨୭ା୧୦(ଡି.ଏନ୍.ଏ.): ହାର୍ଡକୋର ମାଓବାଦୀ କମାଣ୍ଡର ହିଡ଼ମା ଅସୁସ୍ଥ ହୋଇପଡ଼ିଛନ୍ତି। ଏକ ଅଜ୍ଞାତ ସ୍ଥାନରେ ତାଙ୍କର ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। କେନ୍ଦ୍ରୀୟ ଗୋଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମାଓବାଦୀ କମାଣ୍ଡର ହିଡ଼ମା ଅସୁସ୍ଥ ହୋଇପଡ଼ି ଆନ୍ଧ୍ର ପ୍ରଦେଶ କିମ୍ବା ତେଲଙ୍ଗାନାର କୌଣସି ଅଜ୍ଞାତ ସ୍ଥାନରେ ଚିକିତ୍ସିତ ହେଉଛନ୍ତି। କିଛିଦିନ ତଳେ ହିଡ଼ମା ମାଓବାଦୀ ସଙ୍ଗଠନର ଜଣେ କେନ୍ଦ୍ରୀୟ ବରିଷ୍ଠ ନେତା ଆର୍.କେ. ଓରଫ ରାମକୃଷ୍ଣଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେତେବେଳେ ସେ ଅସୁସ୍ଥ ଥିଲେ। ଏହା ପରଠାରୁ ହିଡ଼ମାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖାଦେଇଥିଲା। ୨୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିବା ହିଡ଼ମାଙ୍କ ସମ୍ପର୍କରେ ଏହି ତଥ୍ୟ ମିଳିବା ପରେ ଏହି ଦୁଇ ରାଜ୍ୟରେ ଥିବା ଅନେକ ଡାକ୍ତରଖାନା ଏବଂ ନର୍ସିଂହୋମରେ ତାଙ୍କୁ ଖୋଜାଖୋଜି ଚାଲିଛି। ପୋଲିସ ସହାୟତାରେ ବିଶାଖାପାଟଣା ସୁରକ୍ଷା ଏଜେନ୍ସି, ବିଜୟୱାଡା ଏବଂ ୱାରାଙ୍ଗଲ ସହ ଅନ୍ୟ ଅଞ୍ଚଳରେ ହିଡ଼ମାଙ୍କ ଖୋଜା ଜାରି ରହିଛି। ବିଗତ ଦିନରେ ବିଜାପୁରଠାରେ ସିଆର୍ପିଏଫ୍ ଏବଂ ଡିଆର୍ଜି ଉପରେ ହୋଇଥିବା ଆକ୍ରମଣରେ ହିଡ଼ମା ସମ୍ପୃକ୍ତ ଥିଲେ। ଏହି ଆକ୍ରମଣରେ ୨୩ ଯବାନ ଶହୀଦ ହୋଇଥିଲେ। ହିଡ଼ମା ଏହି ଆକ୍ରମଣ ଯୋଜନା କରିଥିଲେ।