ପୋଲିସ ଏନ୍‌କାଉଣ୍ଟରରେ ମାଓବାଦୀ କମାଣ୍ଡର ନିହତ: ରହିଥିଲା ୩ ଲକ୍ଷ ଟଙ୍କାର ପୁରସ୍କାର

ମାଲକାନଗିରି,୧ା୭: ମାଲକାନଗିରି ଜିଲା ସୀମାନ୍ତରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଛତିଶଗଡ଼ର ବସ୍ତର ଜିଲାର ଏଲାଙ୍ଗନାର ଅଞ୍ଚଳରେ କଟେକଲ୍ୟାଣ ଓ କାଙ୍ଗେର ଘାଟି ମାଓବାଦୀ ସଙ୍ଗଠନର ମାଓବାଦୀମାନେ ନିକଟସ୍ଥ ଜଙ୍ଗଲରେ ଏକାଠି ହୋଇଥିବା ଖବର ପାଇ ଡିଆର୍‌ଜି ଏବଂ ସିଆର୍‌ପିଏଫ୍‌ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେଶନ କରାଯାଇଥିଲା। ଜଙ୍ଗଲରେ ପୋଲିସ ପହଞ୍ଚତ୍ଥିବା ଜାଣିବା ପରେ ମାଓବାଦୀମାନେ ପ୍ରଥମେ ପୋଲିସ ଉପରକୁ ଗୁଳିଚାଳନା କରିଥିଲେ। ଏହାର ଜବାବରେ ପୋଲିସ ମଧ୍ୟ ପାଲଟା ଗୁଳି ଚଳାଇଥିଲା। ଦୀର୍ଘ ସମୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୋଲିସ ଗୁଳିର ସାମ୍‌ନା କରି ନ ପାରି ଶେଷରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ପରେ ଜଙ୍ଗଲରେ ତଲାସି ବେଳେ ଜଣେ ମାଓବାଦୀଙ୍କ ମୃତଦେହ ମିଳିଥିଲା। ଏଥିସହ ଗୋଟିଏ ଥ୍ରୀ ନଟ୍‌ ଥ୍ରୀ ବନ୍ଧୁକ, ଗୋଟିଏ ପିସ୍ତଲ ସହ ଅନ୍ୟାନ୍ୟ ସାମଗ୍ରୀ ପୋଲିସ ଜବତ କରିଥିଲା। ମାଓବାଦୀ ସଙ୍ଗଠନରେ ମୃତ ମାଓବାଦୀ ଜଣେ ଡେପୁଣି କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ। ପୂର୍ବରୁ ତାଙ୍କ ନାମରେ ଛତିଶଗଡ଼ ସରକାର ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। ସମ୍ପୃକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେଶନ ଜାରି ରହିଛି।

Share