ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର

ମାଲକାନଗିରି,୩ା୬ (ଡି.ଏନ୍‌.ଏ.)- ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମାଓବାଦୀଙ୍କ ଆଇଇଡି ବୋମା ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଛନ୍ତି। ସେ ହେଲେ ନିରଞ୍ଜନ କୁମାର ପାଶ୍ୱାନ। ବିଜାପୁର ଜିଲାର ପେଗ୍ରାପାଲି ଅଞ୍ଚଳରେ ମାଓବାଦୀ ଦମନ ପାଇଁ ୨୧୦ କୋବ୍ରା ବାହିନୀ ଯବାନମାନେ ସର୍ଚ୍ଚ ଅପରେଶନ କରୁଥିଲେ। ଯବାନଙ୍କୁ ଟାର୍ଗେଟ୍‌ କରି ମାଓବାଦୀମାନେ ଆଇଇଡି ବୋମା ଖଞ୍ଜିଥିଲେ। ଯବାନଙ୍କ ସର୍ଚ୍ଚ ଅପରେଶନ ବେଳେ ଏହା ବିସ୍ଫୋରଣ ହୋଇଥିଲା। ଫଳରେ ନିରଞ୍ଜନ ଆହତ ହୋଇଥିଲେ। ତାଙ୍କୁ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ ଜୋର୍‌ଦାର କରାଯାଇଛି।