ପୋଲିସ ଗୁଳିରେ ହାଡକୋର ମାଓବାଦୀ ନିହତ

ମାଲକାନଗିରି,୧୧ା୩(ଡି.ଏନ୍‌.ଏ.): ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲାରେ ଗୁଳିବିନିମୟ ହୋଇଛି। ପୋଲିସ ଗୁଳିରେ ଜଣେ ହାଡକୋର ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀ ହେଉଛନ୍ତି ବିଜାପୁର ମାଓବାଦୀ ସଂଗଠନର ଡେପୁଟି କମାଣ୍ଡର ରିତେଶ ପୁନମ। ତାଙ୍କ ମୁଣ୍ଡ ଉପରେ ପୂର୍ବରୁ ଛତିଶଗଡ଼ ସରକାର ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଘଟଣା ସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।

ସୂଚନାଯୋଗ୍ୟ, ଗୁଳି ବିନିମୟ ବେଳେ ରାମଲୁ ହେମଲା ନାମକ ଜଣେ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ବିଜାପୁର ଜିଲାର ନେନଡ଼ ଥାନା ଅନ୍ତର୍ଗତ କେକା ଓ ମେସଲା ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରି ରହିଥିବା ନେଇ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ଯାହାକୁ ଆଧାର କରି ଡିଆରଜି ଓ ସିଆରପିଏଫ୍‌ ବାହିନୀ ପକ୍ଷରୁ ସେଠାରେ କମ୍ବିଂ ଅପରେଶନ ଆରମ୍ଭ କରିଥିଲେ। ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ। ଏହା ଜବାବରେ ପୋଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା।

Share