ମାଓବାଦୀ ନେତା ସବ୍ୟସାଚୀ ୬ ମାମଲାରେ ନିର୍ଦ୍ଦୋଷ

ପାରଳାଖେମୁଣ୍ଡି,୧୯ା୪(ଡି.ଏନ୍‌.ଏ.):ଗଜପତି ଜିଲା ଦୌରାଜଜ୍‌ ସୋମବାର ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ୬ଟି ସଙ୍ଗିନ୍‌ ମାମଲାରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସବ୍ୟସାଚୀଙ୍କ ବିରୋଧରେ ଜିଲାର ବିଭିନ୍ନ ଥାନାରେ ୪୫ ମାମଲା ରହିଥିଲା। ସେଥିରୁ ୩୨ ମାମଲାରେ ସବ୍ୟସାଚୀଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା। ଆର୍‌. ଉଦୟଗିରିରେ ୨୦୦୬ରେ ଜେଲ ଓ ଟ୍ରେଜେରି କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବା ସହ ମୋବାଇଲ ଟାୱାର ଲାଇନ କାଟିବା ଘଟଣା ଭଳି ସଙ୍ଗିନ୍‌ ମାମଲାରେ ଜିଲା ଦୌରାଜଜ୍‌ ସବ୍ୟସାଚୀଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଏହାକୁ ମିଶାଇ ମୋଟ ୩୮ ମାମଲାରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ତେବେ ତାଙ୍କ ନଁାରେ ଥିବା ଆହୁରି ୭ ମାମଲାର ଶୁଣାଣି ହେବ ବୋଲି ସବ୍ୟସାଚୀଙ୍କ ଓକିଲ ସ୍ବରୂପ କୁମାର ପାଳ ସୂଚନା ଦେଇଛନ୍ତି।

Share