ରାୟଗଡ଼ା,୨୬।୧: (ସ୍ବ.ପ୍ର.): ଗୋଟିଏ ପଟେ ଦେଶବ୍ୟାପୀ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ନିୟମଗିରି ପାହାଡ଼ର ବିଭିନ୍ନ ସ୍ଥାନରେ ମାଓବାଦୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ସାଧାରଣତନ୍ତ୍ର ଦିବସ ବିରୋଧରେ ବାଘୁନା କମିଟି ପକ୍ଷରୁ ଏହି ମାଓବାଦୀ ପୋଷ୍ଟର ଲାଗିଛି।
ସୂଚନା ଅନୁଯାୟୀ, ରାୟଗଡ଼ା ଜିଲା ଅନ୍ତର୍ଗତ ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ମାଓବାଦୀ ସଂଗଠନ ବିରୋଧ କରିବା ସହିତ କଳା ଦିବସ ଭାବେ ପାଳନ କରିବାକୁ ଆହ୍ବାନ ଜଣାଇଛନ୍ତି। ନିୟମଗିରି ପାହାଡର ଥିବା ବିଭିନ୍ନ ଗାଁ ଗୁଡିକରେ ଏହି ପୋଷ୍ଟର ଲଗାଯାଇଛି। ମୁଖ୍ୟତଃ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଗାଁ ମାନଙ୍କରେ ଏହି ପୋଷ୍ଟର ଲଗାଯାଇଥିବା ଦେଖାଦେଇଛି। ପାରସାଲି ପଞ୍ଚାୟତ ମହକୁମାର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଲଗାଯାଇଛି। ଡଙ୍ଗରିଆକନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଓ ପଞ୍ଚାୟତ କାର୍ଯ୍ୟାଳୟଠାରେ ମଧ୍ୟ ଲାଗିଛି। ସିପିଆଇ (ମାଓବାଦୀ) ସଂଗଠନର ବାସଧାରା – ଘୁମୁସର – ନାଗାବଳୀ ଡିଭିଜନାଲ କମିଟି ପକ୍ଷରୁ ଏହା ଲଗାଯାଇଥିବା ଉଲ୍ଲେଖ ରହିଛି। ମାଓବାଦୀ ପୋଷ୍ଟର ଯୋଗୁ ନିୟମଗିରି ଅଞ୍ଚଳରେ ରହିଥିବା ଗାଁ ଗୁଡିକରେ ଭୟର ବାତାବରଣ ଖେଳିଯାଇଛି।