ଲାଠୋର, ୧୯ା୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ଘୁନସର ଏବଂ ପୁଟକେଲଚୁଆଁ ମଧ୍ୟସ୍ଥଳରେ ଥିବା ସାପ୍ତାହିକ ହାଟ ପେଣ୍ଡାଲରେ ମାଓବାଦୀମାନେ ୩ଟି ବ୍ୟାନର ଲଗାଇ ଉପସ୍ଥିତି ଜାହିର କରିଛନ୍ତି। ସୋମବାର ସକାଳେ ଏହା ଜଣା ପଡିବା ପରେ ଲାଠୋର ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ବ୍ୟାନର ଜବତ କରିଛି। ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ଲେଖାଥିବା ବ୍ୟାନରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୧୯ତମ ପ୍ରତିଷ୍ଠା ଦିବସକୁ ପ୍ରତି ଗ୍ରାମରେ ଧୁମ୍ଧାମରେ ପାଳନ କରିବାକୁ କୁହାଯାଇଛି।
ପାର୍ଟିକୁ ଧୋକା ଦେଇ ପୋଲିସକୁ ସୂଚନା ଦେଉଥିବା ସୂଚନାଦାତାଙ୍କୁ ପ୍ରଜାକୋର୍ଟରେ ଦଣ୍ଡିତ କରାଯିବା ସହ ଗଁାରୁ ତଡ଼ି ଦେବାକୁ କୁହାଯାଇଛି। ବଲାଙ୍ଗୀର, ପାଟଣାଗଡ, ସମ୍ବଲପୁର ଜେଲରେ ରହିଥିବା ମାଓବାଦୀ କଏଦୀମାନଙ୍କୁ ରାଜନୈତିକ କଏଦୀର ମାନ୍ୟତା ସହ ସେମାନଙ୍କୁ ବିନା ସର୍ତ୍ତରେ ଛାଡ଼ି ଦେବାକୁ ଏଥିରେ ଦାବି କରାଯାଇଛି। ବ୍ୟାନର ତଳେ ବିବିଏମ ଡ଼ିଭିଜନାଲ କମିଟି ଲେଖାଯାଇଛି। ଖବର ମିଳିବା ପରେ ବ୍ୟାନର ସବୁକୁ ଜବତ କରାଯାଇ ଘଟଣାର ତଦନ୍ତ ଚାଳିଥିବା ଲାଠୋର ଥାନା ଅଧିକାରୀ ଝସକେତନ ଭୋଇ କହିଛନ୍ତି।