ପୁଣି ଉପସ୍ଥିତି ଜାହିର କଲେ ମାଓବାଦୀ, ପୋଡିଦେଲେ ୬ ଗାଡ଼ି

ଭବାନୀପାଟଣା,୨୬।୫(ସ୍ବ.ପ୍ର.): କିଛି ଦିନର ନୀରବତା ପରେ ପୁଣି କଳାହାଣ୍ଡିରେ ନିଜର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ। ରାସ୍ତା କାମକୁ ବିରୋଧ କରି ୬ଟି ଗାଡି ପୋଡ଼ିଦେଇଥିବା ବେଳେ ମାଓବାଦୀ ପୋଷ୍ଟର ଲଗାଇ ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲା ଭବାନୀପାଟଣାସଦର ଥାନା ଅଧୀନ ଯୁଗସାଇପାଟଣା-ପୋଖରୀଘାଟ-ମନସ୍କା ରାସ୍ତା କାମକୁ ବିରୋଧ କରି ୩ଟି ଟ୍ରାକ୍ଟର ୨ଟି ଟିପର ଏବଂ ଗୋଟିଏ ଜେସିବି ମେଶିନକୁ ଜାଳି ଦେଇଛନ୍ତି। ଏପରିକି ଘଟଣାସ୍ଥଳରେ ଏକ ପୋଷ୍ଟର ଲଗାଇ ମାଓବାଦୀମାନେ ରାସ୍ତା କାମକୁ ବିରୋଧ କରିଛନ୍ତି। ଗତ କିଛି ଦିନ ତଳେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀ ଏରିଆ କମାଣ୍ଡର ଲାଲସୁରଙ୍କୁ ପୋଲିସ ଗିରଫ କରି ଆତ୍ମସମର୍ପଣର ନାଁ ଦେଉଛି ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଓବାଦୀ ପୋଷ୍ଟର ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Share