Categories: ଜାତୀୟ

ରେଲଓ୍ବେ ଟ୍ରାକ୍‌ ଉଡାଇଲେ ମାଓବାଦୀ…

ରାଞ୍ଚି, ୨୭।୧ : ଝାଡ଼ଖଣ୍ଡରେ ବୁଧବାର-ଗୁରୁବାର ବିଳମ୍ବିତ ରାତିରେ ମାଓବାଦୀମାନେ ରେଲଓ୍ବେ ଟ୍ରାକ୍‌କୁ ଉଡାଇ ଦେଇଛନ୍ତି। ଝାଡ଼ଖଣ୍ଡର ଗିରିଡ଼ିହ ନିକଟରେ ମାଓବାଦୀମାନଙ୍କ ପକ୍ଷରୁ ଏଭଳି ଆଇଡି ବିସ୍ଫୋରଣ କରାଯାଇଛି। ରାତି ୧୨ଟା ୩୪ରେ ଧାନବାଦ ଡିଭିଜନ୍‌ର କରମାବାଦ୍‌-ଚିଚାକି ଷ୍ଟେଶନ ମଧ୍ୟରେ ଏହି ବିସ୍ଫୋରଣ ହୋଇଛି।

ଖବର ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ ରେଲଓ୍ବେ କର୍ତ୍ତୃପକ୍ଷ ହାଓ୍ବଡ଼ା-ଗୟା-ଦିଲ୍ଲୀ ରେଳପଥରେ ସମସ୍ତ ଟ୍ରେନ୍‌ ଚଳାଚଳକୁ ବନ୍ଦ କରିଦେଇଛନ୍ତି। ସେହିପରି କେତେକ ଟ୍ରେନ୍‌ର ଗତିପଥକୁ ବଦଳାଇ ଦିଆଯାଇଛି।

ମାଓବାଦୀଙ୍କ ପକ୍ଷରୁ ଗୁରୁବାର ବିହାର ଏବଂ ଝାଡ଼ଖଣ୍ଡ ବନ୍ଦ ଘୋଷଣା କରାଯାଇଛି। ଏହା ଅନ୍ତର୍ଗତ ଏଭଳି ବିସ୍ଫୋରଣ ହୋଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି।

ପୂର୍ବ କେନ୍ଦ୍ରୀୟ ରେଳବାଇର ସିପିଆରଓ ରାଜେଶ କୁମାରଙ୍କ ଅନୁଯାୟୀ ପେଟ୍ରୋଲମ୍ୟାନ ଗୌରବ ରାଜ ଏବଂ ରୋହିତ କୁମାର ସିଂ ଚିଚାକିର ଷ୍ଟେଶନ ମାଷ୍ଟରଙ୍କୁ ଏସମ୍ପର୍କରେ ସୂଚନା ଦେଇଥିଲେ। ପରେ ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ ସମେତ ବହୁ ଟ୍ରେନ୍‌ର ଗତିପଥକୁ ପରିବର୍ତ୍ତନ କରାଯାଇଛି। ଟ୍ରାକ୍‌ ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ମରାମତି କାର୍ଯ୍ୟ ଶେଷହେବା ପରେ ଏହି ପଥ ଦେଇ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହେବ ବୋଲି ସେ କହିଛନ୍ତି।

ବିସ୍ଫୋରଣସ୍ଥଳରୁ ମାଓବାଦୀଙ୍କ ପୋଷ୍ଟର ଜବତ କରାଯାଇଛି।

Share