Categories: ଜାତୀୟ

ଗଳାକାଟି ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ…

ବିଜାପୁର, ୨୯।୬ : ଛତିଶଗଡର ବିଜାପୁର ଜିଲାରେ ମାଓବାଦୀ ବର୍ବର କାଣ୍ଡ ଭିଆଇଛନ୍ତି। ମାଓବାଦୀମାନେ ଏକ ମାଓପ୍ରବଣ ଗାଁର ସରପଞ୍ଚଙ୍କୁ ତୀକ୍ଷ୍‌ଣ ଅସ୍ତ୍ରରେ ଗଳା କାଟି ହତ୍ୟା କରିଛନ୍ତି। ପୋଲିସ ଇନଫରମର ସନ୍ଦେହରେ ମାଓବାଦୀମାନେ ଏହି ଘଟଣା ଘଟାଇ ଛନ୍ତି। ୧୨ରୁ ଅଧିକ ସଶସ୍ତ୍ର ମାଓବାଦୀ ରାତି ଅଧରେ ଗାଁକୁ ଆସି ସରପଞ୍ଚଙ୍କୁ ଘରୁ ଜଙ୍ଗଲକୁ ନେଇ ଯାଇଥିଲେ। ସରପଞ୍ଚଙ୍କୁ ହତ୍ୟା କରିବା ପରେ ମାଓବାଦୀମାନେ ଚାଲି ଯାଇଥିଲେ। ଏହି ଘଟଣା ଜିଲାର ତୟୋନାର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର-ବୁଧବାର ମଧ୍ୟ ରାତ୍ରିରେ ବିଜାପୁର ଜିଲାର ମୋରମେଡ ଗାଁରେ ପହଞ୍ଚି ମାଓବାଦୀମାନେ ସରପଞ୍ଚ ପତିରାମ କୁଡିୟମଙ୍କ ଘରେ ପହଞ୍ଚିଥିଲେ। ସେତେବେଳେ ପତିରାମ ଘରେ ଶୋଇଥିଲେ। ମାଓବାଦୀମାନେ ସରପଞ୍ଚଙ୍କୁ ସେମାନଙ୍କ ସହ ଯିବାକୁ କହିଥିଲେ। ଯେତେବେଳେ ସମ୍ପର୍କୀୟମାନେ ତାଙ୍କୁ ନ ନେବାକୁ ଅନୁରୋଧ କଲେ। ମାଓବାଦୀମାନେ ବନ୍ଧୁକ ଦେଖାଇ ପରିବାରକୁ ଧମକ ଦେଇଥିଲେ। କୁହାଯାଉଛି ଯେ ଗାଁରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ନେଇ ମାଓବାଦୀମାନେ କ୍ରୋଧିତ ହୋଇଥିଲେ ଏବଂ ଅନେକ ଦିନ ଧରି ସରପଞ୍ଚ ମାଓବାଦୀମାନଙ୍କ ଟାର୍ଗେଟରେ ଥିଲେ। ସୂଚନାଯୋଗ୍ୟ ପୋଲିସ ଇନଫରମର ସନ୍ଦେହରେ ସରପଞ୍ଚଙ୍କୁ ମାଓବାଦୀମାନେ ମଧ୍ୟ ଅନେକ ଥର ଧମକ ଦେଇଥିଲେ।

ମାଓବାଦୀଙ୍କ ଏହି କାର୍ଯ୍ୟ ଯୋଗୁଁ ଗାଁରେ ଆତଙ୍କ ଖେଳିଯାଇଛି। ପୋଲିସ ଫୋର୍ସ ଗାଁରେ ମୁତୟନ କରାଯାଇଛି। ସୂଚନାନୁସାରେ, ମାଓବାଦୀମାନେ ମୃତକଙ୍କ ପରିବାରକୁ ନିରନ୍ତର ଟାର୍ଗେଟ କରୁଛନ୍ତି। ଏହାପୂର୍ବରୁ ମାଓବାଦୀମାନେ ପରିବାରର ଦୁଇଜଣ ସଦସ୍ୟଙ୍କୁ ମଧ୍ୟ ହତ୍ୟା କରିଥିଲେ।

Share