ମାଓବାଦୀଙ୍କ ବର୍ବର କାଣ୍ଡ: ଇନ୍‌ଫର୍ମର ସନ୍ଦେହରେ ଗଳା କାଟି ହତ୍ୟା

ଚିତ୍ରକୋଣ୍ଡା, ୨୧।୧୦(ବ୍ୟୁରୋ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇଛନ୍ତି। ଯୋଡ଼ାମ୍ଭ ଥାନା ଅନ୍ତର୍ଗତ ଖଜୁରୀଗୁଡା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ୩୦ରୁ ଊର୍ଦ୍ଧ୍ୱ ମାଓବାଦୀ ଆସି ଗ୍ରାମର ୩ ବ୍ୟକ୍ତି ଦାସ ଖେମୁଡୁ, ସନା ହାନ୍ତାଳ ଓ ସମରୁ ଖିଲଙ୍କୁ ନିର୍ଧୁମ ମାଡ଼ ମାରିଥିଲେ। ପରେ ଦାସ ଖେମୁଡୁଙ୍କ ଗଳା କାଟି ହତ୍ୟା କରିଥିଲେ। ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଏପରି କରିଥିବା ସନ୍ଦେହ କରାଯାଉଛି।
ଅପରପକ୍ଷେ ବିଏସ୍‌ଏପ୍‌ ଯବାନଙ୍କୁ ଟାର୍ଗେଟ କରି ସ୍ବାଭିମାନ ଅଞ୍ଚଳରେ ପୋତା ଯାଇଥିବା ୭ଟି ଟିଫିନ ବୋମାକୁ ମଙ୍ଗଳବାର ବିଏସ୍‌ଏଫ ଯବାନ ଜବତ କରିଥିଲେ। ଏହାପରେ ସଙ୍ଗେ ସଙ୍ଗେ ତାହାକୁ ନିଷ୍କ୍ରିୟ କରିଦେଇଥିଲେ। ଫଳରେ ଗତକାଲି ମାଓବାଦୀଙ୍କ ଏକ ବଡ଼ ଆକ୍ରମଣ ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଥିଲେ ବିଏସ୍ଫ ଯବାନ।