Categories: ଜାତୀୟ

ପ୍ରେମ ପାଇଁ ମାଓବାଦୀ ଛାଡ଼ିଲେ ଲାଲ୍‌ କୋରିଡୋର

ଦନ୍ତେ ଓ୍ବାଡ଼ା,୧୫।୨: ପ୍ରେମ ଓ ଭଲ ପାଇବା ଆଗରେ ହାର ମାନିଛି ହିଂସା। କେବଳ ପ୍ରେମ ଲାଗି ମାଓବାଦୀଙ୍କ ହାତରୁ ଖସି ପଡ଼ିଛି ବନ୍ଧୁକ। ପୁଣି ସତ୍ୟ ସାବ୍ୟସ୍ତ ହୋଇଛି ଯେ, ହିଂସା ପ୍ରଣୋଦିତ ତରବାରୀ ଦ୍ୱାରା କରାଯାଇଥିବା ବିଜୟ ପ୍ରକୃତ ବିଜୟ ନୁହେଁ। ହୃଦୟ ଜୟ ଦ୍ୱାରା ହୋଇଥିବା ବିଜୟ ହିଁ ପ୍ରକୃତ ବିଜୟ। ଏହାର ସଦ୍ୟତମ ଉଦାହରଣ ଛତିଶଗଡ଼ରେ ଘଟିଛି। ପ୍ରେମ ପାଇଁ ୧୫ ମାଓବାଦୀ ଯୋଡ଼ି ଲାଲ୍‌ କୋରିଡୋର ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ସହିତ ଭାଲେଣ୍ଟାଇନ୍‌ ଡେ’ ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେମାନଙ୍କ ମାରିବା ମରିବା ଜୀବନରେ ଏବେ ଭବିଷ୍ୟତର ଆଶାର ସୃଜନ ଉଙ୍କି ମାରୁଛି। ଏବେ ସେମାନେ ବନ୍ଧୁକ ଛାଡ଼ି ହଳ ଲଙ୍ଗଳ ଧରିବାକୁ ଅଣ୍ଟା ଭିଡ଼ିଛନ୍ତି। ଦନ୍ତେ ଓ୍ବାଡ଼ାରେ ଆତ୍ମସମର୍ପଣ କରିଥିବା ୧୫  ମାଓବାଦୀ ଯୋଡ଼ିଙ୍କ ବିବାହ କାର୍ଯ୍ୟ ଏସ୍‌ପି ଅଭିଷେକ ପଲ୍ଲବଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି। ପୋଲିସ ବିଭାଗର ଘର ବାହୁଡ଼ା ଅଭିଯାନ ଅନ୍ତର୍ଗତ ଗତ ୬ ମାସ ମଧ୍ୟରେ ୩୦୦ରୁ ଅଧିକ ମାଓବାଦୀ ହିଂସାର ରାସ୍ତା ଛାଡ଼ି ଶାନ୍ତିର ପଥକୁ ଫେରିଥିବା ଏସ୍‌ପି ସୂଚନା ଦେଇଛନ୍ତି।

Share