Categories: ଜାତୀୟ

ମଧ୍ୟସ୍ଥ ନିଯୁକ୍ତି ପ୍ରସ୍ତାବ ଦେଲେ ମାଓବାଦୀ

ବିଜାପୁର,୭ା୪(ପି.ଟି.): ଛତିଶଗଡ଼ର ବସ୍ତର ଅଞ୍ଚଳରେ ଶନିବାର ଏନ୍‌କାଉଣ୍ଟର ବେଳେ ନିଖୋଜ ହୋଇଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମନ୍‌ହାସ ମାଓବାଦୀମାନଙ୍କ କବ୍‌ଜାରେ ରହିଛନ୍ତି। ରାଜ୍ୟ ସରକାର ତାଙ୍କ ମୁକ୍ତି ପାଇଁ ମଧ୍ୟସ୍ଥ ନିଯୁକ୍ତ କରନ୍ତୁ ବୋଲି ମଙ୍ଗଳବାର ସିପିଆଇ ମାଓବାଦୀ ପକ୍ଷରୁ ଦାବି କରାଯାଇଛି। ତେବେ ରାକେଶ୍ୱରଙ୍କ ମୁକ୍ତି ନିମନ୍ତେ ମାଓବାଦୀମାନେ କୌଣସି ସର୍ତ୍ତ ଘୋଷଣା କରିନାହାନ୍ତି।
ବିଜାପୁର-ସୁକ୍‌ମା ମଧ୍ୟବର୍ତ୍ତୀ ଜଙ୍ଗଲରେ ହୋଇଥିବା ଏନ୍‌କାଉଣ୍ଟରରେ ୨୨ ଯବାନ ଶହୀଦ ହୋଇଥିବାବେଳେ ଶହୀଦଙ୍କ ପ୍ରକୃତ ସଂଖ୍ୟା ୨୪ ବୋଲି ସିପିଆଇ ମାଓବାଦୀ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଏଥିରେ ୧୨ ମାଓବାଦୀ ନିହତ ହୋଇଥିବା ପୋଲିସ କହୁଥିବାବେଳେ ୪ ମାଓବାଦୀଙ୍କ ଜୀବନ ଯାଇଥିବା ଉକ୍ତ ନିଷିଦ୍ଧ ସଙ୍ଗଠନ ମାନିଛି। ଏହାସହ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌)ର ୨୧୦ତମ କୋବ୍ରା ବାଟାଲିୟନ୍‌ କନଷ୍ଟେବଳ ରାକେଶ୍ୱର ସିଂ ମନ୍‌ହାସଙ୍କ ମୁକ୍ତି ଲାଗି ଆଲୋଚନା କରିବାକୁ ସରକାର ପ୍ରଥମେ ବାର୍ତ୍ତାକାରମାନଙ୍କ ନାମ ଘୋଷଣା କରନ୍ତୁ। ଯବାନଙ୍କୁ ପରେ ମୁକ୍ତ କରାଯିବ। ଆମ କବ୍‌ଜାରେ ଥିବା ଯାଏ ରାକେଶ୍ୱର ସୁରକ୍ଷିତ ରହିଥିବେ ବୋଲି ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି (ଡିକେଏସ୍‌ଜେଡ୍‌ସି) ମୁଖପାତ୍ର ବିକଳ୍ପ ୨ ପୃଷ୍ଠା ସମ୍ବଳିତ ବିବୃତିରେ କହିଛନ୍ତି। ଏନ୍‌କାଉଣ୍ଟର ସ୍ଥଳରୁ ଯବାନମାନଙ୍କ ୧୪ଟି ବନ୍ଧୁକ, ୨୦୦୦ କ୍ୟାଟ୍ରିଜ୍‌ ଓ ଅନ୍ୟ ସାମଗ୍ରୀ ମାଓବାଦୀମାନେ ନେଇଥିବା ଏଥିରେ କୁହାଯାଇଛି। ସେଗୁଡ଼ିକର ଫଟୋ ମଧ୍ୟ ଜାରି କରାଯାଇଛି। ପୋଲିସ ଉକ୍ତ ବିବୃତିର ସତ୍ୟାସତ୍ୟ ଯାଞ୍ଚ କରୁଛି। ଇତିମଧ୍ୟରେ ଆଦିବାସୀ କର୍ମୀ ସୋନି ସୋରି ଯବାନଙ୍କୁ ମୁକ୍ତ କରିବା ପାଇଁ ମାଓବାଦୀଙ୍କୁ ଅନୁରୋଧ କରିଛନ୍ତି। ସେମାନେ ତାଙ୍କୁ ଛାଡ଼ିବାରେ ବିଳମ୍ବ କଲେ ସେ ବୁଧବାର ଏନ୍‌କାଉଣ୍ଟର ସ୍ଥଳକୁ ଯାଇ ମାଓବାଦୀଙ୍କ ସହ ଆଲୋଚନା କରିବେ ବୋଲି ସୋରି କହିଛନ୍ତି। ପ୍ରକାଶ ଯେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଜଗଦଲପୁର ଓ ବିଜାପୁର ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ।

 

Share