ଫୁଲବାଣୀ ଅଫିସ,୨୨।୫: କନ୍ଧମାଳ ଏସ୍ପି ଭିନୀତ ଅଗ୍ରୱାଲଙ୍କ ନିକଟରେ ଜଣେ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ଅଶୋକ ପୁନେ। ତାଙ୍କ ଘର ଛତିଶଗଡ଼ ବିଜାପୁର ଜିଲା ମାଲିପଦ ପଞ୍ଚାୟତ ଦଲା ଗ୍ରାମରେ।
ଅଶୋକ ଦୀର୍ଘ ୬/୭ ବର୍ଷ ହେବ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲେ। ସେ କେକେବିଏନ୍ ସଂଗଠନରେ ଏରିଆ କମିଟି ସଦସ୍ୟ ଭାବେ ଓଡ଼ିଶାରେ କାମ କରୁଥିଲେ। ମାଓବାଦୀମାନେ ଯାହା କୁହନ୍ତି ସେମାନେ ସେପରି କିଛି କରନ୍ତି ନାହିଁ। ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମକୁ ବିରୋଧ କରନ୍ତି। ଏଥିରେ ଅତିଷ୍ଠ ହୋଇ ଅଶୋକ ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। କେବଳ ଏତିକି ନୁହେଁ ମାଓବାଦୀଙ୍କ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ବିଭିନ୍ନ ଯୋଜନାରେ ଆକୃଷ୍ଟ ହୋଇଥିଲେ। ସରକାରଙ୍କ ପକ୍ଷରୁ ଥିବା ସମସ୍ତ ସାହାଯ୍ୟ ସହଯୋଗ ତାଙ୍କୁ ଯୋଗାଇ ଦିଆଯିବ। ଆମେ ସମସ୍ତ ମାଓବାଦୀଙ୍କୁ ଅନୁରୋଧ କରୁଛୁ ସେମାନେ ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ବୋଲି ଏସ୍ପି ଖବରଦାତା ସମିଳନୀରେ ସୂଚନା ଦେଇଛନ୍ତି।