Categories: ଜାତୀୟ

ମରାଠା କୋଟା ଆଇନ ଖାରଜ

ନୂଆଦିଲ୍ଲୀ, ୬।୫: ମରାଠାମାନଙ୍କ ପାଇଁ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ନିମନ୍ତେ ମହାରାଷ୍ଟ୍ର ସରକାର ଆଣିଥିବା ଆଇନକୁ ସୁପ୍ରିମକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ସଂରକ୍ଷଣକୁ ୫୦ ପ୍ରତିଶତରୁ ଅଧିକ କରାଯାଇପାରିବ ନାହିଁ ବୋଲି ୧୯୯୨ରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଏହି ରାୟର ସମୀକ୍ଷା କରିବା ଆବଶ୍ୟକ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
ସଂରକ୍ଷଣ ଆଇନ ଅସାମ୍ବିଧାନିକ ବୋଲି ଜଷ୍ଟିସ ଅଶୋକ ଭୂଷଣ, ଏଲ୍‌. ନାଗେଶ୍ୱର ରାଓ, ଏସ୍‌. ଅବଦୁଲ ନାଜିର, ହେମନ୍ତ ଗୁପ୍ତା ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ସହମତ ହୋଇଥିଲେ। ସଂରକ୍ଷଣ ସୁବିଧା ପାଇଁ ମରାଠା ସମ୍ପ୍ରଦାୟକୁ ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ ଘୋଷଣା କରାଯାଇପାରିବ ନାହିଁ। ୫୦ ପ୍ରତିଶତ କୋଟା ସୀମାକୁ ଅତିକ୍ରମ କରି ସେମାନଙ୍କ ପାଇଁ ସଂରକ୍ଷଣ ସୁବିଧା ସୃଷ୍ଟି କରିବାର କୌଣସି ଅସାଧାରଣ ସ୍ଥିତି ସୃଷ୍ଟି ହୋଇ ନ ଥିବା ସାମ୍ବିଧାନିକ ପୀଠ କହିଥିଲେ। ସୂଚନାଯୋଗ୍ୟ ମହାରାଷ୍ଟ୍ର ସରକାରଙ୍କ ଆଇନକୁ ବମ୍ବେ ହାଇକୋର୍ଟ ଗତବର୍ଷ ଜୁନ୍‌ ୨୭ରେ କାଏମ ରଖିବା ସହ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ୧୨% ଏବଂ ନିଯୁକ୍ତି କ୍ଷେତ୍ରରେ ୧୩%କୁ ହ୍ରାସ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ୧୯୯୨ରେ ଇନ୍ଦ୍ର ସାଓ୍ବନି ମାମଲାରେ ସୁପ୍ରିମକୋର୍ଟ ସଂରକ୍ଷଣ ସୀମା ୫୦%ରେ ସୀମିତ ରଖିବା ଲାଗି କଡ଼ା ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ରାୟ ଦେବା ବେଳେ ସୁପ୍ରିମକୋର୍ଟଙ୍କ ଉକ୍ତ ରାୟକୁ ଠିକ୍‌ ଭାବେ ପଢ଼ି ନ ଥିବା ଆବେଦନକାରୀ ଦର୍ଶାଇଥିଲେ। ସଂରକ୍ଷଣ ସୀମା ବାହାରେ ମରାଠା ସମ୍ପ୍ରଦାୟକୁ ସଂରକ୍ଷଣ ସୁବିଧା ଦେବା ସମାନତା ଅଧିକାରର ଉଲ୍ଲଂଘନ ବୋଲି ଅଦାଲତ କହିଛନ୍ତି।

Share