କରୋନା ପରେ ଚିନ୍ତା ବଢ଼ାଇଲା ମାରବର୍ଗ ସଂକ୍ରମଣ

କେପ୍‌ ଟାଉନ୍‌,୮।୭: ବିଶ୍ୱ ଗତ ୨ବର୍ଷରୁ ଉର୍ଦ୍ଧ୍ୱ ହେଲା କରୋନା ମହାମାରୀ ସହ ସଂଘର୍ଷ କରୁଛି। ଇତିମଧ୍ୟରେ ଆଉ ଏକ ନୂଆ ସଂକ୍ରମଣ ସାମ୍ନାକୁ ଆସିଛି। ବର୍ତ୍ତମାନ ପଶ୍ଚିମ ଆଫ୍ରିକାର ଘାନାରେ ବିପଜ୍ଜନକ ସଂକ୍ରମଣ ମାରବର୍ଗ ରୋଗୀ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ମାରବର୍ଗ ସଂକ୍ରମଣ ଇବୋଲା ଭାଇରସ୍‌ ଅପେକ୍ଷା ଶୀଘ୍ର ବ୍ୟାପିଥାଏ। ଘାନା ଡାକ୍ତର ଦୁଇ ରୋଗୀଙ୍କ ନମୁନା ସଂଗ୍ରହ କରିଛନ୍ତି। ଯଦି ମାରବର୍ଗ ସଂକ୍ରମଣ ସୁନିଶ୍ଚିତ ହୁଏ, ତେବେ ଘାନାରେ ମାରବର୍ଗ ଭାଇରସ୍‌ର ଏହା ପ୍ରଥମ ଘଟଣା ହେବ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ, ଘାନାର ନୋଗୁଚି ମେମୋରିଆଲ ଇନ୍‌ଷ୍ଟିଚ୍ୟୁଟ ଫର୍‌ ମେଡିକାଲ ରିସର୍ଚ୍ଚରେ ୨ଆକ୍ରାନ୍ତଙ୍କ ନମୁନା ପରୀକ୍ଷା କରାଯାଇଛି। ଯାଞ୍ଚରେ ଏହି ୨ଜଣଙ୍କ ରିପୋର୍ଟରେ ମାରବର୍ଗ ପଜିଟିଭ୍‌ ଆସିଛି। ବର୍ତ୍ତମାନ ଏହି ନମୁନାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ସେଣ୍ଟର ସେନେଗାଲର ଇନ୍‌ଷ୍ଟିଚ୍ୟୁଟ ପୋଶ୍ଚରକୁ ପଠାଯାଇଛି। ଯାହା ଦ୍ୱାରା ଆକ୍ରାନ୍ତଙ୍କର ମାରବର୍ଗ ସଂକ୍ରମଣ ଅଛି କି ନାହିଁ ତାହା ଡବ୍ଲଏଚ୍‌ଓ ପକ୍ଷରୁ ସରକାରୀ ଭାବେ ସ୍ପଷ୍ଟ କରାଯିବ। ଅନ୍ୟପଟେ ଘାନାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଉଭୟ ରୋଗୀଙ୍କଠାରେ ଝାଡ଼ା, ବାନ୍ତି, ଜ୍ୱର ଏବଂ ଅଣନିଶ୍ୱାସୀ ହେବା ଭଳି ଲକ୍ଷଣ ଦେଖିବାକୁ ମିଳିଛି। ତେବେ ଉଭୟ ରୋଗୀ ଦକ୍ଷିଣ ଆଶାନ୍ତି ଅଞ୍ଚଳର। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛନ୍ତି।

Share