ବାଜି ମାରିପାରନ୍ତି ମାର୍କୋସ୍‌ ଜୁନିୟର

ମାନିଲା, ୮ା୨: ଫିଲିପାଇନ୍ସ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ଏକଛତ୍ରବାଦୀ ଶାସକ ସ୍ବର୍ଗତ ଫର୍ଡିନାଣ୍ଡ୍‌ ମାର୍କୋସ୍‌ଙ୍କ ପୁଅ ଫର୍ଡିନାଣ୍ଡ ମାକ୍ରୋସ୍‌ ଜୁନିୟର। ଲୋକଙ୍କ ବିଦ୍ରୋହ ବାପା ମାର୍କୋସ୍‌ଙ୍କ ଶାସନକୁ ସମାପ୍ତ କରିବାର ୩୬ ବର୍ଷ ପରେ ସେ ପୁଣି ପରିବାରକୁ ରିବ୍ରାଣ୍ଡିଂ କରିବାକୁ ବାହାରିଛନ୍ତି। ମଙ୍ଗଳବାର ନିର୍ବାଚନ ପ୍ରଚାର ଆରମ୍ଭ ହେବାକୁ ଯାଉଥିବାବେଳେ ୬୪ ବର୍ଷୀୟ ମାର୍କୋସ୍‌ ଜୁନିୟର ଜନମତ ସର୍ଭେରେ ଆଗୁଆ ଅଛନ୍ତି। ଆସନ୍ତ ମେ’ ୯ରେ ସେଠାରେ ନିର୍ବାଚନ ଅନୁଷ୍ଠିତ ହେବ। ମାର୍କୋସଙ୍କ ପ୍ରତି ବିଦାୟୀ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟଙ୍କ ସମର୍ଥନ ରହିଛି। ଅନେକେ ଡୁଟେର୍ଟେଙ୍କୁ ମଧ୍ୟ ଏକଛତ୍ରବାଦୀ ଶାସକ ବୋଲି ଅଭିହିତ କରିଥାନ୍ତି। ତେବେ ମାର୍କୋସ ଜୁନିୟର ରାଷ୍ଟ୍ରପତି ହେଲେ ତାଙ୍କ ବାପାଙ୍କ ଭଳି ଦେଶରେ ଏକଛତ୍ରବାଦୀ ଶାସନ ଫେରିବ ବୋଲି ସମାଲୋଚକ ମତ ରଖିଛନ୍ତି।

ଭାବେ ଜଣା ମାର୍କୋସ୍‌ ଜୁନିୟର ୨ ଦଶନ୍ଧି ଧରି ଦେଶରେ ଶାସନ କରିଥିବା ଫର୍ଡିନାଣ୍ଡ୍‌ ମାର୍କୋସ୍‌ଙ୍କ ଏକମାତ୍ର ପୁଅ। ଜନ ବିପ୍ଳବ ମୁଣ୍ଡ ଟେକିବା ପରେ ୧୯୮୬ରେ ଫର୍ଡିନାଣ୍ଡ୍‌ଙ୍କୁ ଶାସନରୁ ହଟିବାକୁ ପଡ଼ିଥିଲା। ପରେ ସେମାନେ ସପରିବାର ହାଓ୍ବାଇକୁ ପଳାୟନ କରିଥିଲେ। ସେଠାରେ ମାର୍କୋସ୍‌ ସିନିୟରଙ୍କ ମୃତ୍ୟୁ ଘଟିଥିଲା। ୯୦ ଦଶକରେ ପୁଣି ଦେଶକୁ ଫେରିବା ପରେ ମାର୍କୋସ ଜୁନିୟର ଇଲୋକସ୍‌ ନୋର୍ଟେର ଗଭର୍ନର ନିର୍ବାଚିତ ହୋଇଥିଲେ। ୨୦୧୬ରେ ସେ କମ୍‌ ବ୍ୟବଧାନରେ ଉପରାଷ୍ଟ୍ରପତି ପଦରେ ହାରି ଯାଇଥିଲେ।

କାହିଁକି ଲଢ଼ୁଛନ୍ତି ମାର୍କୋସ୍‌

ପିତା ଫର୍ଡିନାଣ୍ଡ୍‌ ମାର୍କୋସ୍‌ କ୍ଷମତାରେ ଥିବାବେଳେ ସେ ଦେଶର ସମ୍ପତ୍ତି ଲୁଟି ଥିବା ଅଭିଯୋଗ ହୋଇଥିଲା। ୧୯୮୭ରେ ତାହା ପ୍ରାୟ ୧୦ ବିଲିୟନ ଡଲାର ଥିଲା ବୋଲି କୁହାଯାଇଥିଲା। ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ପରିବାରର ଭାବମୂର୍ତ୍ତି ବଞ୍ଚାଇବା ପାଇଁ ମାର୍କୋସ୍‌ ଜୁନିୟର ନିର୍ବାଚନକୁ ଓହ୍ଲାଇଛନ୍ତି। ଚଳିତ ନିର୍ବାଚନରେ ଶାସନକୁ ଫେରିବା ନିମନ୍ତେ ମାର୍କୋସ ପରିବାର ପାଇଁ ଏହା ଶେଷ ସୁଯୋଗ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି। ନିର୍ବାଚନରେ ବିଜୟ ହାସଲ କରିବାରେ ଇତିହାସ ବାଧକ ସାଜିପାରେ ବୋଲି ମାର୍କୋସ ଜୁନିୟର ପ୍ରାର୍ଥୀପତ୍ର ଦାଖଲବେଳେ କହିଥିଲେ। ତେବେ ପୂର୍ବରୁ ମାର୍କୋସ ସିନିୟର କରିଥିବା କାମ ପାଇଁ ସେ କିମ୍ବା ତାଙ୍କ ପରିବାର କ୍ଷମା ମାଗି ନ ଥିବା ସମାଲୋଚକ କହିଛନ୍ତି। ତେଣୁ ଏହା ନିର୍ବାଚନ ଜିତିବା ପାଇଁ ବାଧକ ହୋଇପାରେ ବୋଲି କୁହାଯାଉଛି। ଏହବାଦ ମାର୍କୋସ୍‌ ସିନିୟରଙ୍କ ବିରୋଧରେ ସାମରିକ ଆଇନ ଲାଗୁ ଯୋଗୁ ଅତ୍ୟାଚାର, ବେଆଇନ ବନ୍ଦୀ, ଲୋକଙ୍କ ନିଖୋଜ କରାଯିବା ଆଦି ବାବଦରେ ୭୫ ହଜାରରୁ ଊର୍ଦ୍ଧ୍ୱ ମାମଲା ରହିଛି।
ସର୍ଭେରେ ସେ ଫେଭରାଇଟ୍‌ ଭାବେ ଉଭା ହୋଇଛନ୍ତି। ଡିସେମ୍ବରରେ ପ୍ରକାଶିତ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟରେ ସେ ୨୦ ପଏଣ୍ଟରେ ଆଗୁଆ ଅଛନ୍ତି। ବିଦାୟୀ ରାଷ୍ଟ୍ରପତି ଡୁର୍ଟେଟଙ୍କ ଝିଅ ସାରା ଡୁଟେର୍ଟଙ୍କ ସମର୍ଥନ ତାଙ୍କ ବିଜୟକୁ ସହଜ କରିପାରେ। କାରଣ ଦକ୍ଷିଣ ଫିଲିପାଇନ୍ସରେ ମାର୍କୋସ୍‌ଙ୍କ ପ୍ରତି ଦୃଢ଼ ସମର୍ଥନ ନ ଥିବାବେଳେ ସାରାଙ୍କ ଲୋକପ୍ରିୟତା ଗେମ୍‌ ଚେଞ୍ଜର ବୋଲି କୁହାଯାଉଛି।

Share