Advertisement

ମରୈଗାଁ ସମବାୟ ସମିତିର ଲକ୍ଷାଧିକ ଟଙ୍କା ହେରଫେର ମାମଲା: ଅନ୍ତରୀଣ ନିର୍ଦ୍ଦେଶ ଜାରି କଲେ ହାଇକୋର୍ଟ

ହାଟଡିହୀ,୧୪l୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ସମବାୟ ସମିତି ଲିମିଟେଡ଼(ଆବେଦନକାରୀ)ତରଫରୁ ଦାୟର ହୋଇଥିବା ମାମଲାରେ ମାନ୍ୟବର ଓଡିଶା ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି l କେସ ନଂ ଡବ୍ଲ୍ୟୁପି(ସି)-୬୭୮୧/୨୦୨୫ ଅଟେ l ଉକ୍ତ ମାମଲାରେ ଆରସିଏସ ଓଡିଶା, ଡିଆରସିଏସ ବାଲେଶ୍ୱର ଡିଭିଜନଙ୍କୁ ପକ୍ଷ କରାଯାଇଛି l ପ୍ରକ୍ରିୟା(ପ୍ରୋସିଡିଂ) ଚାଲିବ, କିନ୍ତୁ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଆବେଦନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବନି ବୋଲି ଅନ୍ତରୀଣ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି l ପରବର୍ତ୍ତୀ ଶୁଣାଣି ପାଇଁ ୧୮ ମାର୍ଚ୍ଚ ୨୦୨୫କୁ ଦିନ ଧାର୍ଯ୍ୟ ହୋଇଛି l

ସୂଚନାଯୋଗ୍ୟ, ମରୈଗାଁ ସମବାୟ ସମିତିର ଲକ୍ଷାଧିକ ଟଙ୍କା ହେରଫେର ନେଇ ସମିତି ସମ୍ପାଦକ ଶରତ ସେଠି ଛନ୍ଦି ହୋଇଥିଲେ l କେନ୍ଦୁଝର ଡିଆରସିଏସ ଶୁଭ୍ରକାନ୍ତି ତୁଙ୍ଗ ମରୈଗାଁ ସମବାୟ ସମିତିର ମ୍ୟାନେଜମେଣ୍ଟ କମିଟିକୁ ଜବାବ/ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ l ପରେ ୬ ମାସ ପାଇଁ କମିଟିକୁ ରଦ୍ଦ କରିଥିଲେ l ଆନନ୍ଦପୁର ଏଆରସିଏସ କାର୍ଯ୍ୟାଳୟର ଅଧିକାରୀ ନିତ୍ୟାନନ୍ଦ ଦେହୁରୀଙ୍କୁ ସମ୍ପୃକ୍ତ ମରୈଗାଁ ସମିତିର ଏମଆଇସି(ମ୍ୟାନେଜମେଣ୍ଟ ଇନ ଚାର୍ଜ) ଭାବେ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଜାରି କରିଥିଲେ l

କିନ୍ତୁ ଅଧିକାରୀ ଦେହୁରୀ ସମ୍ପୃକ୍ତ ସମିତିକୁ ଦାୟିତ୍ୱ ନେବାକୁ ଯାଇଥିବା ବେଳେ ସମ୍ପାଦକ ଶରତ ସେଠି କୌଣସି ରେକର୍ଡ ପତ୍ର ତାଙ୍କୁ ପ୍ରଦାନ ନକରି ଫେରାଇ ଦେଇଥିଲେ l ଫଳରେ ଉକ୍ତ ଘଟଣାରେ ଆନନ୍ଦପୁର ଏଆରସିଏସ କାର୍ଯ୍ୟାଳୟ ତରଫରୁ ସମିତିର ସମ୍ପାଦକ ଶରତ ସେଠିଙ୍କୁ ଏ ବାବଦରେ ସତର୍କ କରାଇବା ସହ ରେକର୍ଡ ପତ୍ର ଏମଆଇସିଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଚିଠି ଜାରି ହୋଇଥିଲା l କିନ୍ତୁ ସମ୍ପାଦକ ସେଠି ଛୁଟି ପାଇଁ ଏକ ଦରଖାସ୍ତ ଦେଇଥିଲେ l ରେକର୍ଡ ପତ୍ର ହସ୍ତାନ୍ତର ନକରି ସମ୍ପାଦକ ସେଠିଙ୍କୁ ଏପରି ସ୍ଥଳେ ଛୁଟି ମଞ୍ଜୁର କରାଯିବା ନେଇ ବିଭାଗୀୟ ଅଧିକାରୀଙ୍କ ଭୂମିକା ଦିଗରେ ନାନା ସନ୍ଦେହ ମଧ୍ୟ ସୃଷ୍ଟି ହୋଇଥିଲା l