Categories: ଜାତୀୟ

ଅତି ଭୀଷଣ ସାମୁଦ୍ରିକ ଝଡ଼ ରୂପ ନେଲା ତଉକ୍‌ତାଏ

ମୁମ୍ବାଇ/ବେଙ୍ଗାଲୁରୁ/ଥିରୁଭାନନ୍ଥପୁରମ୍‌, ୧୭।୫: ଆରବ ସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ତଉକତାଏ ରବିବାର ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି। ଆଗାମୀ ୧୨ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ମଙ୍ଗଳବାର ଭୋର ସମୟରେ ପୋରବନ୍ଦର ଏବଂ ମହୁଭା ମଧ୍ୟରେ ଗୁଜରାଟ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ କିମି ଏବଂ ସ୍ଥଳବିଶେଷରେ ସର୍ବାଧିକ ୧୭୫ କିଲୋମିଟର ରହିବ। ଏଥିସହିତ ପାଖାପାଖି ୩ ମିଟର ଉଚ୍ଚର ଜୁଆର ଉଠିବା ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଛି।
ସାମୁଦ୍ରିକ ଝଡ଼ ଉପକୂଳ ଅଞ୍ଚଳକୁ ଅଧିକ କ୍ଷତିଗ୍ରସ୍ତ କରିବା ସମ୍ଭାବନା ରହିଛି। ସେଥିପାଇଁ ଗୁଜରାଟ ଓ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି। ମହାରାଷ୍ଟ୍ର ଓ ଗୋଆରେ ପ୍ରବଳ ବର୍ଷା ପବନ ଜାରି ରହିଥିବାରୁ ବହୁସଂଖ୍ୟାରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି। ଗୋଆରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି। ଘର ଭାଙ୍ଗିପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ର ଉପକୂଳ ଅଞ୍ଚଳରେ ଥିବା କୋଭିଡ୍‌ କେୟାର ସେଣ୍ଟରରୁ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବାତ୍ୟା ଯୋଗୁ ସେହି ହସ୍ପିଟାଲଗୁଡ଼ିକରେ ଯେପରି ବିଦ୍ୟୁତ ଓ ଅକ୍ସିଜେନ ଯୋଗାଣ ବାଧାପ୍ରାପ୍ତ ନ ହୁଏ, ତାହା ସୁନିଶ୍ଚିତ କରିବା ଲାଗି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ନିର୍ଦ୍ଦେଶ ଦେଇଛନ୍ତି। ଗୁଜରାଟରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।
ତଉକତାଏ ପ୍ରଭାବରେ କେରଳ, କର୍ନାଟକ, ଗୋଆ ଓ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଲାଗିରହିଛି। କର୍ନାଟକ ଉପକୂଳ ଓ କେନ୍ଦ୍ରୀୟ କର୍ନାଟକର ଉତ୍ତର କନ୍ନଡ, ଉଡୁପି, ଚିକମାଗାଲୁରୁ ଏବଂ ଶିବମୋଗା ଜିଲାରେ ପ୍ରବଳ ବର୍ଷାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। କେରଳର କୋଝିକୋଡେରୁ ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯାଇଥିବା ୧୫ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିଲେ। ଦୁଇଦିନ ହେଲା ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନ ଥିବାବେଳେ ରବିବାର ସେମାନଙ୍କ ବୋଟକୁ ମାଙ୍ଗାଲୁରୁ ଉପକୂଳରେ ଠାବ କରାଯାଇଛି। ଏଥିରେ ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା କୁହାଯାଉଛି। ଗତ ୫ ତାରିଖରେ ବେପୋର ବନ୍ଦରରୁ ସେମାନେ ‘ଆଜମୀର ଶା’ ନାମକ ବୋଟ୍‌ରେ ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯାଇଥିଲେ। ସେହି ସମୟରେ ଯାଇଥିବା ଅନ୍ୟ ଏକ ବୋଟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହା ଗୋଆ ଉପକୂଳଠାରୁ ୭ ନଟିକାଲ ମାଇଲ ଦୂରରେ ଅଟକି ରହିଛି। ସେଥିରେ ଥିବା ମତ୍ସ୍ୟଜୀବୀମାନଙ୍କୁ ତୁରନ୍ତ ଉଦ୍ଧାର କରିବା ଲାଗି ମତ୍ସ୍ୟଜୀବୀ ସଂଘ ପକ୍ଷରୁ ନୌସେନା ଓ ତଟସୁରକ୍ଷା ବାହିନୀକୁ ଅନୁରୋଧ କରାଯାଇଛି।

Share