Categories: ଜାତୀୟ

ବୈବାହିକ ବଳାତ୍କାର ନୁହେଁ ଅପରାଧ, ସ୍ବାମୀଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ହାଇକୋର୍ଟ…

ପ୍ରୟାଗରାଜ,୯।୧୨ : ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯଦି ସ୍ତ୍ରୀଙ୍କ ବୟସ ୧୮ ବର୍ଷରୁ ଅଧିକ ତେବେ ବୈବାହିକ ବଳାତ୍କାରକୁ ଭାରତୀୟ ଦଣ୍ଡବିଧି (ଆଇପିସି) ଅନୁଯାୟୀ ଅପରାଧ ଭାବେ ବିବେଚନା କରାଯାଇପାରିବ ନାହିଁ। ସ୍ତ୍ରୀଙ୍କ ବିରୋଧରେ ଅପ୍ରାକୃତିକ ଅପରାଧ କରିଥିବା ସ୍ବାମୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାବେଳେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।

ଏହି ମାମଲାରେ ଅଭିଯୁକ୍ତଙ୍କୁ ଆଇପିସିର ଧାରା ୩୭୭ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ବୋଲି ବିଚାର କରି ଜଷ୍ଟିସ ରାମ ମନୋହର ନାରାୟଣ ମିଶ୍ର କହିଛନ୍ତି ଯେ ବୈବାହିକ ବଳାତ୍କାର ଏପର୍ଯ୍ୟନ୍ତ ଭାରତରେ ଅପରାଧ ଭାବେ ପରିଗଣିତ ହୋଇନାହିଁ।

ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ବୈବାହିକ ବଳାତ୍କାରକୁ ଅପରାଧିକ କରିବାକୁ ଚାହୁଁଥିବା ଆବେଦନଗୁଡିକ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି, ଯେପର୍ଯ୍ୟନ୍ତ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ବିଚାର ନ କରିଛନ୍ତି, ଯେପର୍ଯ୍ୟନ୍ତ ସ୍ତ୍ରୀଙ୍କର ବୟସ ୧୮ ବର୍ଷ କିମ୍ବା ତା’ଠାରୁ ଅଧିକ ନ ହୋଇଛି ସେପର୍ଯ୍ୟନ୍ତ ଏହା କୌଣସି ଅପରାଧ ହେବ ନାହିଁ।

ମଧ୍ୟପ୍ରଦେଶ ହାଇକୋର୍ଟଙ୍କର ପୂର୍ବ ରାୟକୁ ସମର୍ଥନ କରି ଆହ୍ଲାବାଦ ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ବେୈବାହିକ ସମ୍ପର୍କରେ ଅପରାଧର ସ୍ଥାନ ନାହିଁ।

ଅଭିଯୋଗକାରୀ ତାଙ୍କ ପିଟିଶନରେ ଅଭିଯୋଗ କରିଥିଲେ ସେମାନଙ୍କ ବିବାହ ଏକ ଅପମାନଜନକ ସମ୍ପର୍କ ଏବଂ ସ୍ବାମୀ ତାଙ୍କୁ ଶାରୀରିକ ନିର୍ଯାତନା ଦେବା ସହ ଜୋରଜବରଦସ୍ତ ତାଙ୍କ ସହ ଅସ୍ବାଭାବିକ ଯୌନ ସମ୍ପର୍କ ରଖିଥିଲେ।

କୋର୍ଟ ଧାରା ୪୯୮-ଏ ଏବଂ ଆଇପିସି ୩୨୩ ଅନ୍ତର୍ଗତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଧାରା ୩୭୭ ଅନୁଯାୟୀ ତାଙ୍କୁ ଦୋଷମୁକ୍ତ କରିଛନ୍ତି। ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ବଳାତ୍କାରର ସ୍ଥାନ ନାହିଁ ବୋଲି କୋର୍ଟ କହିଛନ୍ତି।

Share