ମାର୍କ ଜୁକରବର୍ଗଙ୍କ ଭଳି ଦେଖାଯାଉଥିବା ଅପରାଧୀଙ୍କୁ ଖୋଜି ଆଣିଲେ ମିଳିବ ୨୨ କୋଟି ଟଙ୍କା ପୁରସ୍କାର

କଲମ୍ବିଆ,୨।୭: କଲମ୍ବିଆ ପୋଲିସ ଦେଶର ରାଷ୍ଟ୍ରପତିଙ୍କ ହେଲିକପ୍ଟରକୁ ଗୁଳି ଚଳାଇବା ମାମଲାରେ ଦୁଇ ଅଭିଯୁକ୍ତଙ୍କ ସ୍କେଚ ଫେସବୁକରେ ଜାରି କରିଛି। ସେମାନଙ୍କ ଠିକଣା ପ୍ରକାଶ ପାଇଁ ୨୨ କୋଟି ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ବିଶେଷ କଥା ହେଉଛି ଏକ ସ୍କେଚରେ ଅଭିଯୁକ୍ତଙ୍କ ଚେହେରା ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ସହ ମେଳ ଖାଉଛି। ଫେବୃଆରୀ ୨୮ରେ ଫେସବୁକରେ ଅପଲୋଡ ହେବା ପରେ ହଜାର ହଜାର ଲୋକ ଏହି ସ୍କେଚ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ୟୁଜର୍ସ ଜୁକରବର୍ଗ ଉପରେ ଅନେକ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ସୂଚନାଯୋଗ୍ୟ, କଲମ୍ବିଆର ରାଷ୍ଟ୍ରପତି ଇଭାନ ଡ୍ୟୁକ ଯାଉଥିବା ହେଲିକପ୍ଟରରେ ଅନେକ ଗୁଳି ବିନିମୟ ହୋଇଥିଲା। ଦେଶର ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ରାଜ୍ୟପାଳ ମଧ୍ୟ ଏହି ହେଲିକପ୍ଟରରେ ଥିଲେ। ତଦନ୍ତରେ ପୋଲିସ କେତେକ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଥିଲା। ଫେସବୁକରେ ସନ୍ଦିଗ୍ଧଙ୍କ ସ୍କେଚ ଅପଲୋଡ କରି ଜାତୀୟ ପୋଲିସ କହିଛି ଯେ, ସେମାନଙ୍କୁ ଧରିବାରେ ପୋଲିସକୁ ସାହାଯ୍ୟ କରିବ। ଠିକଣା କହୁଥିବା ବ୍ୟକ୍ତିଙ୍କୁ ପ୍ରାୟ ୨୨ କୋଟି ଟଙ୍କା ପୁରସ୍କାର ଘୋଷଣା ସହିତ ଯୋଗାଯୋଗ ପାଇଁ ଫୋନ ନମ୍ବର ମଧ୍ୟ ଦିଆଯାଇଥିଲା। ସ୍କେଚରେ ଜଣଙ୍କ ଚେହେରା ମାର୍କ ଜୁକରବର୍ଗଙ୍କ ସହିତ ମେଳ ହେବା ପରେ ପୋଲିସର ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Share