ବାହାଘରରେ ମାର୍କଣ୍ଡି ସାଜିଲା ବାଛୁରୀ

ଭୁବନେଶ୍ୱର,୨୬।୬(ଶର୍ମିଷ୍ଠା ପାଣିଗ୍ରାହୀ): ମାର୍କଣ୍ଡି ସାଜିଛି ବାଛୁରୀ। କଥାଟି ବିଶ୍ୱାସ ହେଉ ନ ଥିଲେ ବି ସତ। ଭୁବନେଶ୍ୱର ଉପକଣ୍ଠ ପଥରଗାଡିଆରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମୁକୁଟ ପିନ୍ଧି ମାର୍କଣ୍ଡି ବେଶରେ ସଜେଇ ହୋଇଛି ବାଛୁରୀ। ଆଉ ବର ସହିତ ଫୁଲରେ ସଜା ହୋଇଥିବା କାର୍‌ରେ କନିଆଁ ଘରକୁ ଯାଉଛି। ଗୋ’ ସେବା ଓ ସୁରକ୍ଷାର ବାର୍ତ୍ତା ଦେଇ ନିଜ ବାହାଘରକୁ ନିଆରା ଭାବେ କରିଛନ୍ତି ସମାଜସେବୀ ତଥା ଶିକ୍ଷକ ତାରାକାନ୍ତ ବେହେରା। ରବିବାର ଥିଲା ତାଙ୍କର ବାହାଘର। ବାଜା ବାଣରେ କମ୍ପି ଉଠିଥିଲା ଅଞ୍ଚଳ। ଡିଜେ ତାଳେ ତାଳେ ନାଚିଥିଲେ ବରଯାତ୍ରୀ। ଆଉ ସମସ୍ତଙ୍କ ଆକର୍ଷଣ ସାଜିଥିଲା ମାର୍କଣ୍ଡି ବାଛୁରୀ। ତାରାକାନ୍ତ ବାଛୁରୀ ଦେହରେ ହଳଦୀ ମାରିଥିଲେ। ଚାନ୍ଦୁଆ ପିନ୍ଧାଇବା ସହ ମସ୍ତକରେ ସିନ୍ଦୂର ଓ ବେକରେ ଫୁଲ ମାଳ ପକାଇଥିଲେ। ବାଛୁରୀ ମାର୍କଣ୍ଡିକୁ ନିଜ କାରରେ ବସାଇ କନିଆ ରଶ୍ମିତାଙ୍କ ହାତ ଧରିବାକୁ ବାହାରିଥିଲେ। ବାଛୁରୀ ମଧ୍ୟ ବେଶ୍‌ ଆଦରରେ ତାଙ୍କ କୋଳରେ ସେମିତି ବସି ରହିଥିଲେ। ଏହାକୁ ଦେଖିବାକୁ ଲୋକଙ୍କର ଭିଡ଼ ଜମିଥିଲା। ବିବାହରେ ଗୋ’ ପୂଜା ଓ କୁନି ବାଛୁରୀ ପୂଜା କରିବାର ପରମ୍ପରା ରହିଛି। ହେଲେ ବର୍ତ୍ତମାନର ଆଧୁନିକ ଯୁଗରେ ମାର୍କଣ୍ଡି ଭାବେ କୁନି ବାଛୁରୀକୁ ନେବା ଘଟଣା ସମସ୍ତଙ୍କୁ ଅନୁପ୍ରାଣିତ କରିଛି। କେବଳ ଏତିକି ନୁହେଁ ଗୋ’ ମାତାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ କନ୍ୟା ଘର ପକ୍ଷରୁ ଏକ ‘ଗାଈ’କୁ ଉପହାର ରୂପେ ଦିଆଯାଇଛି। ତାରାକାନ୍ତଙ୍କ ଏଭଳି ପଦକ୍ଷେପ ପାଇଁ ପ୍ରଶଂସାର ସୁଅ ଛୁଟିଛି। ଏ ନେଇ ତାରାକାନ୍ତ କହିଛନ୍ତି, ପ୍ରକୃତିର ମହାନ ଦାନ ହେଉଛି ଗୋ ମାତା। ସମସ୍ତେ ସେମାନଙ୍କୁ ଉପଯୁକ୍ତ ସମାନ ଦେବା ସହ ଆଦର କରିବା ଉଚିତ। ଆଜାକାଲି ସେମାନଙ୍କୁ ବହୁ ହତାଦାର କରାଯାଉଥିବାରୁ ଦୁଃଖ ଲାଗୁଛି।

Share