ଉଠାଦୋକାନୀଙ୍କ ଦୋକାନ ଭାଙ୍ଗିଲେ ସ୍ଥାୟୀ ଦୋକାନୀ

ଭୁବନେଶ୍ୱର, ୫।୮ (ବନ୍ଦନା ସେଠୀ): ଦୀର୍ଘ ୧୮ଦିନ ପରେ ଗୁରୁବାର ଅପରାହ୍ନରୁ ୟୁନିଟ୍‌-୨ରେ ଥିବା ରାଜ୍ୟର ପ୍ରମୁଖ ବଜାର ମାର୍କେଟ ବିଲ୍ଡିଂ ଖୋଲିଥିଲେ ମଧ୍ୟ ଶୁକ୍ରବାରଠାରୁ ଠିକ୍‌ ଭାବେ ବେପାର ଆରମ୍ଭ ହୋଇଥିଲା। ତେବେ ମାର୍କେଟ ଖୋଲିବାର ମଧ୍ୟାହ୍ନ ୧୨ଟା ବେଳକୁ ଏକାଧିକ ଉଠାଦୋକାନୀ ମାର୍କେଟ ଭିତରେ ନିଜ ଦୋକାନ ଖୋଲି ବେପାର କରିବାକୁ ଉଦ୍ୟମ କରିଥିଲେ। ଏହାକୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ ବିରୋଧ କରିବା ସହିତ ଅରୁଣ କୁମାର ରାୟ ନାମକ ଜଣେ ଉଠାଦୋକାନୀଙ୍କ ଦୋକାନ ଭାଙ୍ଗି ଦେଇଥିଲେ। ଫଳରେ ଏଠାକୁ ଆସିଥିବା ଅନ୍ୟ ଅସ୍ଥାୟୀ ବ୍ୟବସାୟୀମାନେ ଆଉ ଠେଲା ଲଗାଇ ନ ଥିଲେ। ତେବେ ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ କିଛି ସମୟ ଧରି ଉତ୍ତେଜନା ଦେଖାଦେଇଥିଲା। ଏହାପରେ ସମ୍ପୃକ୍ତ ଉଠାଦୋକାନୀ ମାର୍କେଟ ଆସୋସିଏଶନର ୫ଜଣ ସଦସ୍ୟ ଓ ଅନ୍ୟ ୧୫ଜଣଙ୍କ ନାମରେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ତେବେ ଘଟଣାକୁ ନେଇ ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ ଚେତାବନୀ ଦେଇଛି। ଆସୋସିଏଶନର ସଦସ୍ୟମାନେ ଅଗଣତାନ୍ତ୍ରିକ ଭାବେ ଉଠାଦୋକାନୀଙ୍କୁ ନିଜ ଅଧିକାରରୁ ବଞ୍ଚତ୍ତ କରୁଛନ୍ତି। ଶନିବାର ସକାଳେ ମାର୍କେଟ ଖୋଲିବା ପରେ ସମସ୍ତ ଉଠାଦୋକାନୀ ମାର୍କେଟରେ ପଶି ବ୍ୟବସାୟ ଆରମ୍ଭ କରିବେ ବୋଲି ମହାସଂଘ ସଭାପତି ପ୍ରତାପ ସାହୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଉଠାଦୋକାନୀଙ୍କ ଜବରଦସ୍ତ ପ୍ରବେଶକୁ ନେଇ କ୍ଷୋଭ ପ୍ରକାଶ କରିଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ। ଆସୋସିଏଶନର ଜଏଣ୍ଟ ସେକ୍ରେଟାରି ରଞ୍ଜିତ ମହାନ୍ତି କହିଛନ୍ତି, ବିଏମ୍‌ସିର ଚୁକ୍ତି ଅନୁଯାୟୀ ଉଠାଦୋକାନୀ ମାର୍କେଟ ଭିତରେ ଆଉ ବ୍ୟବସାୟ କରିପାରିବେ ନାହିଁ। ସେମାନଙ୍କ ଥଇଥାନ କଥା ବିଏମ୍‌ସି ବୁଝିବ। ସେଥିରେ ଆମର କିଛି ଭାଗିଦାରିତା ନାହିଁ। ଯଦି ଉଠାଦୋକାନୀ ମାର୍କେଟ ଭିତରକୁ ପଶିବାକୁ ଉଦ୍ୟମ କରିବେ ତେବେ ଜୋର୍‌ଦାର ବିରୋଧ କରାଯିବ ଓ ସ୍ଥିତିକୁ ଦେଖି ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ମାର୍କେଟ ବିଲ୍ଡିଂରୁ ଉଠାଦୋକାନୀଙ୍କୁ ସବୁଦିନ ପାଇଁ ଉଚ୍ଛେଦ ଦାବିକରି ସ୍ଥାୟୀ ବ୍ୟବସାୟୀଙ୍କୁ ନେଇ ଗଠିତ ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ ମାର୍କେଟକୁ ବନ୍ଦ କରି ରଖିଥିଲା। ଗୁରୁବାର ବିଏମ୍‌ସି ଓ ମାର୍କେଟ ଆସୋସିଏଶନ୍‌ ମଧ୍ୟରେ ଥିବା ରାଜିନାମା ରିନ୍ୟୁ ହେବା ପରେ ମାର୍କେଟ ଖୋଲିଥିଲା। ଏହି ରାଜିନାମା ଅନୁଯାୟୀ ଉଠାଦୋକାନୀମାନେ ଆଉ ମାର୍କେଟ ମଧ୍ୟରେ ବସି ପାରିବେ ନାହିଁ। ମାତ୍ର କୌଣସି ଥଇଥାନ ନ କରି ସେମାନଙ୍କୁ ବ୍ୟବସାୟ କରିବାରୁ ବାରଣ କରିବା ଅନ୍ୟାୟ ବୋଲି ଉଠାଦୋକାନୀ ମହାସଂଘ ପକ୍ଷରୁ କୁହାଯାଇଛି। ଏଥିସହ ଯଦି ବିଏମ୍‌ସି ସେମାନଙ୍କ ପାଇଁ ଜାଗା ଚିହ୍ନଟ କରିଛି, ତେବେ ତାହାକୁ ଦେଖାଇବା ପାଇଁ ମହାସଂଘ ସଭାପତି ପ୍ରତାପ କହିଛନ୍ତି। ତେବେ ମାର୍କେଟ ଖୋଲିବା ପୂର୍ବରୁ ଯେଉଁ ବିବାଦ ବା ସମସ୍ୟା ଲାଗି ରହିଥିଲା ଏବେ ମଧ୍ୟ ତାହା ଲାଗିରହିଛି। ମାର୍କେଟରେ ଉଠାଦୋକାନୀ ବସି ପାରିବେନି ବୋଲି ଆସୋସିଏଶନ୍‌ ସଫାସଫା କହି ଦେଇଥିବାବେଳେ ଥଇଥାନ ନ ହେବାଯାଏ ମାର୍କେଟରେ ହିଁ ବ୍ୟବସାୟ କରାଯିବ ବୋଲି ଉଠାଦୋକାନୀ ମହାସଂଘ ଜିଦ୍‌ ଧରି ବସିଛି।

Share