କେନ୍ଦୁଝର,୧୧ା୨(ସ୍ବ.ପ୍ର.): କେନ୍ଦୁଝର ସହରରେ ବିନା ପାର୍କିଂ ବ୍ୟବସ୍ଥାରେ ବ୍ୟବସାୟିକ କେନ୍ଦ୍ର ଗଢ଼ି ଉଠିଥିବାରୁ ଟ୍ରାଫିକ ସମସ୍ୟା ଗୁରୁତର ହୋଇପଡ଼ିଛି। ତେବେ ଏ ନେଇ ପୌର ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉ ନ ଥିବାରୁ ଏଭଳି ଅସନ୍ତୋଷ ବଢୁଛି। ସ୍ଥାନୀୟ ରାମରାମ ଗଳିରେ ବିନା ପାର୍କିଂ ବ୍ୟବସ୍ଥାରେ ଏକ ମାର୍କେଟ କମ୍ପ୍ଲେକ୍ସ ଖୋଲିବା ନେଇ ଅନୁମତି ଦିଆଯାଇଥିବାରୁ ଟ୍ରାଫିକ ସମସ୍ୟା ଆଶଙ୍କା କରି ସ୍ଥାନୀୟ ଲୋକେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ନିୟମ ଅନୁଯାୟୀ ମାର୍କେଟ କମ୍ପ୍ଲେକ୍ସ ଏକ ତୃତୀୟାଶଂ ସ୍ଥାନ ପାର୍କିଂ ପାଇଁ ଛଡ଼ାଯାଇଥାଏ। ତେବେ ଏ କ୍ଷେତ୍ରରେ ୩ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସରେ ପାର୍କିଂ ବ୍ୟବସ୍ଥା ନ ଥାଇ ଉଦ୍ଘାଟନ ହେବାକୁ ଯାଉଥିବାରୁ ତୁରନ୍ତ ଏ ନେଇ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଉକ୍ତ ସ୍ଥାନରେ ମାର୍କେଟ କମ୍ପ୍ଲେକ୍ସ ଖୋଲିଲେ ସମ୍ମୁଖ ଅଣଓସାରିଆ ରାସ୍ତାରେ ଟ୍ରାଫିକ ସମସ୍ୟା ଗୁରୁତର ହେବ। ସେହିପରି ଉକ୍ତ ରାସ୍ତାଟି ସହରର ଦୁଇଟି ପ୍ରମୁଖ ରାସ୍ତାକୁ ସଂଯୋଗ କରୁଥିବାରୁ ସବୁବେଳେ ଛୋଟବଡ଼ ଗାଡ଼ି ଚଳାଚଳ କରୁଥାଏ। ଏହାଛଡ଼ା ରାମରାମ ଗଳିରେ ତଦାରଖ ଅଭାବରୁ ଏହି ଗଳି ରାସ୍ତାରେ ପୂର୍ବରୁ ବହୁ ବେଆଇନ ନିର୍ମାଣ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ବେଳେ ଏବେ ଏହି କମ୍ପ୍ଲେକ୍ସ ଚାଲିଲେ ଟ୍ରାଫିକ ସମସ୍ୟେ ଅଧିକ ଜଟିଳ ହୋଇପଡ଼ିବ। ଏନେଇ ଏନ୍ଫୋର୍ସମେଣ୍ଟ ତଦାରଖ ଦାୟିତ୍ୱରେ ଥିବା ପୌରପାଳିକା ମୁଖ୍ୟ ସହାୟକ ଦୀପକ ବେହେରାଙ୍କ ସହ ଯୋଗାଯୋଗ କରିବାରୁ ସେ ଏହାର ଯାଞ୍ଚ କରି ପଦକ୍ଷେପ ନେବେ ବୋଲି କହିଛନ୍ତି।