Advertisement

କାର୍ଯ୍ୟକ୍ଷମ ହେଉନି ମାର୍କେଟ କମ୍ପ୍ଲେକ୍ସ

ପାଲଲହଡ଼ା,୪ା୭(ଦିବ୍ୟଜ୍ୟୋତି ଦାଶ): ପାଲଲହଡ଼ା ସଦର ମହକୁମା ମୁଖ୍ୟ ବଜାର ମଧ୍ୟରେ ଚାଲୁଥିବା ଦୈନିକ ପରିବା ବଜାର ପାଇଁ ସୃଷ୍ଟି ହେଉଥିବା ଟ୍ରାଫିକ ଓ ପାର୍କିଂ ସମସ୍ୟାର ସମାଧାନ ନିମନ୍ତେ ବାଟ ବାହାର କରାଯାଇଥିଲା। ଏଥିପାଇଁ ଉପଖଣ୍ଡ ନିୟନ୍ତ୍ରିତ ବଜାର କମିଟି ଏବଂ ସ୍ଥାନୀୟ ବିଧାୟକଙ୍କ ଉଦ୍ୟମରେ ୨୦୨୧ରେ ପ୍ରାୟ ୪୬ ଲକ୍ଷ ଟଙ୍କା ବ୍ୟୟରେ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା। ହେଲେ ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଉକ୍ତ ମାର୍କେଟ କମ୍ପ୍ଲେକ୍ସ ଉଦ୍‌ଘାଟିତ ହେବାର ବର୍ଷକ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଫଳରେ ମୁଖ୍ୟ ବଜାର ମଧ୍ୟରୁ ଟ୍ରାଫିକ ସମସ୍ୟା ଦୂର ହୋଇପାରୁ ନାହଁ।
ପ୍ରକାଶ ଯେ, ପାଲଲହଡ଼ା ମୁଖ୍ୟ ବଜାର ରାସ୍ତାର ଉଭୟ ପାର୍ଶ୍ୱରେ ପରିବା ବ୍ୟବସାୟୀ ଓ ଉଠା ଦୋକାନୀମାନେ ବ୍ୟବସାୟ କରୁଛନ୍ତି। ଫଳରେ ବଜାର ମଧ୍ୟରେ ପାର୍କିଂ ଓ ଟ୍ରାଫିକ ସମସ୍ୟା ଉପୁଜୁଥିବାରୁ ଆମ୍ବୁଲାନ୍ସ ଏବଂ ବସ୍‌ ଚଳାଚଳରେ ଅସୁବିଧା ହେଉଛି। ଏହାକୁ ଦୃଷ୍ଟିରେ ରଖି ଉକ୍ତ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା। ଏଥିରେ ୧୮ ଗୋଟି ଦୋକାନ ଘର ସହ ପିଣ୍ଡି ବ୍ୟବସ୍ଥା ହୋଇଛି। ୨୦୨୨ ମସିହାରେ ଏହାକୁ ଉଦ୍‌ଘାଟନ କରାଯାଇ ପ୍ରଶାସନ ପକ୍ଷରୁ ଏହି ଘରଗୁଡିକୁ ଦୋକାନୀମାନଙ୍କୁ ହସ୍ତାନ୍ତର କରାଯାଇଛି। କିନ୍ତୁ ଏଠାରେ ଦୋକାନୀଙ୍କ ପାଇଁ ଆନୁଷଙ୍ଗିକ ସୁବିଧା କରାଯାଇନାହିଁ। ଏପରି କି ପିଣ୍ଡି ଗୁଡିକରେ ଖରା ବର୍ଷାରୁ ରକ୍ଷା ପାଇବା ପାଇଁ କୌଣସି ସେଡ୍‌ କରାଯାଇନାହିଁ। ଫଳରେ କୌଣସି ଦୋକାନୀ ମାର୍କେଟ କମ୍ପ୍ଲେକ୍ସକୁ ଯିବାକୁ ରାଜି ହେଉନାହାନ୍ତି ବୋଲି ଦୈନିକ ବଜାର କମିଟି ସଦସ୍ୟ ସିକନ କୁମାର ଭୁକ୍ତା କହିଛନ୍ତି। ଏ ସମ୍ପର୍କରେ ପାଲଲହଡ଼ା ଉପଜିଲାପାଳ ସୁଶାନ୍ତ କୁମାର ପତି କହିଛନ୍ତି, ସ୍ଥାନୀୟ ବଜାର କମିଟି ସହ ଆଲୋଚନା ହୋଇଛି। ଖୁବ୍‌ଶୀଘ୍ର ସମସ୍ତ ଦୋକାନଘର ସମ୍ମୁଖରେ ଏବଂ ପିଣ୍ଡିଗୁଡିକରେ ସେଡ୍‌ ବ୍ୟବସ୍ଥା କରାଯାଇ ସମସ୍ତ ଦୋକାନୀଙ୍କୁ ମାର୍କେଟ କମ୍ପ୍ଲେକ୍ସ ମଧ୍ୟକୁ ନିଆଯିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share