Categories: ଖେଳ

ଦୁଇ ଦୁଇ ଥର ବିଶ୍ୱକପ୍‌ ଚାମ୍ପିୟନ ଖେଳାଳିଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ

ଆଣ୍ଟିଗୁଆ,୨୨।୯: ପୂର୍ବତନ ଓ୍ବେଷ୍ଟଇଣ୍ଡିଆନ ଅଲରାଉଣ୍ଡର ମାର୍ଲୋନ ସାମୁଏଲ୍ସ ଟି୧୦ ଲିଗ୍‌ରେ ଖେଳୁଥିବା ବେଳେ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇଛି। ଅଭିଯୋଗର ତଦନ୍ତ ବେଳେ ସେ କୌଣସି ସହଯୋଗ ନ କରିବାରୁ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ପକ୍ଷରୁ ନୋଟିସ ଜାରି କରାଯାଇଛି।

ଟି୧୦ ଲିଗ୍‌ର ଏକ ମ୍ୟାଚ୍‌ର ଫଳାଫଳକୁ ପ୍ରଭାବିତ କରିବା ପାଇଁ ସେ ୭୫୦ ଆମେରିକୀୟ ଡଲାର (୫୫ ହଜାର ଟଙ୍କା)ରୁ ଊର୍ଦ୍ଧ୍ୱ ମୂଲ୍ୟର ସେବା ଗ୍ରହଣ କରିଥିଲେ। ତାଙ୍କୁ ଏ ସଂକ୍ରାନ୍ତରେ ଦୁର୍ନୀତି ନିବାରଣ ଅଧିକାରୀଙ୍କୁ ଜଣାଇବାର ଥିଲା। କିନ୍ତୁ ସେ ତାହା କରି ନ ଥିଲେ। ତା’ ବାଦ୍‌ ତଦନ୍ତରେ ବାଧା ଦେବା ସହ ଆବଶ୍ୟକୀୟ ତଥ୍ୟ ଦେବାରେ ବିଳମ୍ଭ ତଥା ତଦନ୍ତକାରୀଙ୍କୁ ସହଯୋଗ କରି ନ ଥିଲେ। ଏହା ଦ୍ୱାରା ସେ ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି)ର ଦୁର୍ନୀତି ନିବାରଣ ନିୟମ ଭଙ୍ଗ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଆଇସିସି ପକ୍ଷରୁ ଦୁଇ ଥର ଟି୨୦ ବିଶ୍ୱକପ୍‌ ଜିତିଥିବା ଓ୍ବେଷ୍ଟଇଣ୍ଡିଜ ଦଳର ପୂର୍ବତନ ସଦସ୍ୟଙ୍କୁ ନୋଟିସ ଜାରି କରିଛି ଆଇସିସି। ଆସନ୍ତା ୧୪ ଦିନ ମଧ୍ୟରେ ଅର୍ଥାତ ୨୧ ତାରିଖ ସୁଦ୍ଧା ଏହାର ଉତ୍ତର ତାଙ୍କୁ ଆଇସିସି ଆଗରେ ରଖିବାକୁ ପଡ଼ିବ।

ଉଲ୍ଲେଖଯୋଗ୍ୟ, ୨୦୦୦ରୁ ୨୦୧୮ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ସକ୍ରିୟ ଥିବା ସାମୁଏଲ୍ସଙ୍କ ପ୍ରତିନିଧିତ୍ୱରେ ଓ୍ବେଷ୍ଟଇଣ୍ଡିଜ ୨୦୧୨ ଓ ୨୦୧୬ରେ ଟି୨୦ ବିଶ୍ୱକପ୍‌ ଜିତିଥିଲା। ୧୮ ବର୍ଷର ଲମ୍ବା କ୍ୟାରିୟରରେ ସେ ୭୧ ଟେଷ୍ଟ, ୨୦୪ ଦିନିକିଆ ଓ ୬୭ ଟି୨୦ ମ୍ୟାଚ୍‌ ଖେଳିଥିଲେ। ଅନ୍ତର୍ଜାତୀୟ ସ୍ତରରେ ମୋଟ ଉପରେ ୧୧,୦୬୪ ରନ୍‌ କରିବା ସହ ୧୫୨ ଉଇକେଟ ମଧ୍ୟ ତାଙ୍କ ନାମରେ ରହିଛି।

Share