ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବାହାଘର

ବଲାଙ୍ଗୀର ଅଫିସ/ଖପ୍ରାଖୋଲ,୨୫ା୬ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ତେଲେନପାଲିରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର (ଟିଏମ୍‌ସି)ରେ ବୁଧବାର ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି। ତେଲେନପାଲି ସରପଞ୍ଚ କୁନ୍ତଳା ମାଝି ଓ ତାଙ୍କ ସ୍ବାମୀ ହେମସାଗର ମାଝି ମା’ବାପା ଭାବେ ଏହି ପ୍ରେମୀଯୁଗଳଙ୍କ ବିବାହ କରାଇଛନ୍ତି। ତେଲେନପାଲି ଗ୍ରାମର ଜୀବର୍ଦ୍ଧନ ବିଶି (୨୮) ଓ ବାଗଡିଆ ଗ୍ରାମର ଟେଭା ମାଝି (୨୨) ପରସ୍ପରକୁ ଭଲ ପାଉଥିଲେ। ଉଭୟେ ଗୋଟିଏ ଜାତିର ଓ ସମ୍ପର୍କୀୟ ହୋଇଥିବା ସତ୍ତ୍ୱେ ସେମାନଙ୍କ ବିବାହକୁ ଘର ଲୋକେ ସ୍ବୀକୃତି ଦେଇ ନ ଥିଲେ। ଫଳରେ ଲକ୍‌ଡାଉନ୍‌ ପୂର୍ବରୁ ସେମାନେ ଘରୁ ପଳାଇ ଆସି ରାଜ୍ୟ ବାହାରକୁ ଚାଲିଯାଇଥିଲେ। ସେଠାରୁ ଫେରିବା ପରେ ତେଲେନପାଲି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିଲେ। ସେମାନେ ବିବାହ କରିବାକୁ ଚାହୁଛନ୍ତି ବୋଲି ସରପଞ୍ଚ ଓ ଅନ୍ୟମାନଙ୍କୁ କହିବା ପରେ ବୁଧବାର ସେମାନଙ୍କ ବିବାହ ଉତ୍ସବ ଲାଗି ଆୟୋଜନ କରାଯାଇଥିଲା। ଏହି ବିବାହ ଉତ୍ସବରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସମସ୍ତ ଆଶା, ଅଙ୍ଗନୱାଡି କର୍ମୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଲଳିତ ମାଝି, ଯୋଗାଣ ସହାୟକ ପ୍ରତାପ ବେହେରା, ଶିକ୍ଷକ ଗୋଲାପ ବିଶି, ଚୂଡାମଣି ପଟେଲ ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। କ୍ୱାରାଣ୍ଟାଇନ୍‌ ଅବଧି ଶେଷ କରିଥିବାରୁ ନବ ଦମ୍ପତି ସେମାନଙ୍କ ଘରକୁ ଫେରିଛନ୍ତି।

Share