ବିଧିଶାସ୍ତ୍ର କଷଟିରେ ବିବାହ

ଡ.ଗୌରୀଶଙ୍କର ସାହୁ

 

 

ଅତିବଡ଼ୀ ଜଗନ୍ନାଥ ଦାସ ଶ୍ରୀମଦ୍ଭାଗବତ ମହାପୁରାଣର ଦଶମ ସ୍କନ୍ଧ ଦ୍ୱାବିଂଶ ଅଧ୍ୟାୟରେ ଶରତ ଋତୁ ଆଗମନ ମାତ୍ରେ ପଶୁ, ପକ୍ଷୀ, ମାନବୀଙ୍କ ମନରେ ଅଙ୍କୁରିତ ବାସନା ବିଷୟରେ ସୁନ୍ଦର ବର୍ଣ୍ଣନା କରିଛନ୍ତି। ସମୟ ଓ ପ୍ରକୃତି ଅନୁକୂଳ ହେଲେ ପଶୁପକ୍ଷୀମାନେ ଯୌନସୁଖ ଓ ସନ୍ତାନପ୍ରାପ୍ତି ପାଇଁ ସହବାସ କାମନା କରନ୍ତି। ମଣିଷ ସମାଜର ରୀତିନୀତି / ଆଇନକାନୁନ ମାନି ଯୌନାଚାରରେ ଲିପ୍ତ ହେଲେ ଯାଇ ସାମାଜିକ ସ୍ବୀକୃତି ଲାଭକରେ, ନ ହେଲେ ମୁଣ୍ଡାଇବାକୁ ହୁଏ ବ୍ୟଭିଚାରର ବଦନାମ। ଭାରତବର୍ଷ ବିବିଧତାରେ ପରିପୂର୍ଣ୍ଣ। ରୀତିନୀତି, ପ୍ରଥା ଅନେକ। ହେଲେ ସୀମିତ ଆଇନକାନୁନ ମଧ୍ୟରେ ଆମ ଦିନଚର୍ଯ୍ୟା।
ବିବାହ, ଭାରତୀୟ ସମାଜ ଓ ମହାଭାରତୀୟ ସଂସ୍କୃତିର ଏକ ମହତ୍ତ୍ୱପୂର୍ଣ୍ଣ ବିଧି। ଭାରତୀୟ ଖ୍ରୀଷ୍ଟିଆନ ବିବାହ ଆଇନ- ୧୮୭୨, ପାର୍ସୀ ବିବାହ ଓ ବିଚ୍ଛେଦ ଆଇନ-୧୯୩୬, ଦ ମୁସ୍‌ଲିମ୍‌ ପର୍ସନାଲ୍‌ ଲ(ସରିଆତ୍‌) ଆପ୍ଲିକେଶନ୍‌ ଆକ୍ଟ-୧୯୩୭ ପ୍ରଭୃତି ଯଥାକ୍ରମେ ଖ୍ରୀଷ୍ଟିଆନ, ପାର୍ସୀ ଜୋରାଷ୍ଟ୍ରିଆନ ଓ ଇସଲାମ୍‌ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ବିବାହ ଓ ବିଚ୍ଛେଦ ବିଷୟକ ବା ନିୟାମକ ଆଇନକାନୁନ। ଇହୁଦୀ ଧାର୍ମିକ ବିଧିବ୍ୟବସ୍ଥାରେ ଇହୁଦୀମାନଙ୍କ ବିବାହ ସମ୍ପାଦିତ ହୁଏ। ହିନ୍ଦୁ ବିବାହ ଆଇନ- ୧୯୫୫ର ଧାରା ୨(ଗ) ମୁତାବକ- ଯିଏ ମୁସଲମାନ୍‌, ଖ୍ରୀଷ୍ଟିଆନ୍‌, ପାର୍ସୀ ବା ଇହୁଦୀ ମତାବଲମ୍ବୀ ନୁହେଁ, ତା’ ପାଇଁ ଏଇ ଆଇନଟି ଲାଗୁହେବ। ସାମଗ୍ରିକ ଭାବେ ବିଚାର କଲେ- ଭାରତର ପ୍ରଚଳିତ ଆଇନ ମୁତାବକ ପ୍ରତ୍ୟେକ ନାଗରିକ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ପାର୍ସୀ ବା ଇହୁଦୀ- କୌଣସି ଗୋଟିଏ ଧର୍ମର। ତେଣୁ ବିବାହ ମଧ୍ୟ ଧାର୍ମିକ ରୀତିନୀତି ଅନୁସାରେ ହେବା ବିଧେୟ। ବିଶେଷ ବିବାହ ଆଇନ- ୧୯୫୪ର ଧାରା ୪(ଗ) ଦେଖିଲେ ଆପଣ ଜାଣିପାରିବେ ବିଭିନ୍ନ ଧାର୍ମିକ ଆଇନକୁ ସାମଗ୍ରିକ ଭାବେ ବିଚାରକୁ ନେଇ ପ୍ରତିବନ୍ଧିତ ସମ୍ପର୍କ (ପ୍ରୋଭିବିଟେଡ ରିଲେସନ୍‌ଶିପ୍‌) ନିର୍ଣ୍ଣୟ କରାଯାଇଛି ଓ ପ୍ରଥମ ସୂଚୀରେ ଏହାର ଅତି ଦୀର୍ଘ ତାଲିକା ଉପଲବ୍ଧ! ଯଦିଓ ଏହିସବୁ ପାରିବାରିକ ବା ସାମାଜିକ ସମ୍ପର୍କରେ ବନ୍ଧା ପ୍ରେମିକ ବା ପ୍ରେମିକା କାହିଁକି ବିବାହ କରିପାରିବେ ନାହିଁ; ବୈଜ୍ଞାନିକ ତତ୍ତ୍ୱସମୂହକୁ ନେଇ ତାହା ସ୍ଥାପିତ କରାଯାଇ ପାରିବ ନାହିଁ! ଏହି ବିଶେଷ ଆଇନ ଜରିଆରେ ବିବାହ ବନ୍ଧନରେ ବାନ୍ଧିହେଲେ ମଧ୍ୟ ଆପଣଙ୍କୁ ଏହି ପ୍ରତିବନ୍ଧିତ ସମ୍ପର୍କ ବାହାରେ ଜୀବନସାଥୀ ଖୋଜିବାକୁ ହେବ। କାରଣ ଆଗରୁ କୁହାଯାଇସାରିଛି- ଭାରତରେ ବିବାହ ଆଇନ ଅନ୍ତତଃ ଧର୍ମସହିତ, ଧର୍ମରହିତ ନୁହେଁ।
ଏବେ ଆଲୋଚନା କରିବା ବିଭିନ୍ନ ଧାର୍ମିକ ଆଇନ ଓ ବିଶେଷ ବିବାହ ଆଇନରେ ଓ ସର୍ବମାନ୍ୟ ଆଇନ ପୁସ୍ତକଗୁଡ଼ିକରେ ବିବାହର ସଂଜ୍ଞା ଓ ସ୍ବରୂପ। ବିଶିଷ୍ଟ ଆଇନ ବିଶାରଦ ସ୍ବର୍ଗତ ଜେ. ଆର୍‌. ଘରପୁରେ ”ହିନ୍ଦୁ ଲ“ ପୁସ୍ତକରେ ବେଦ, ଉପନିଷଦ, ସ୍ମୃତି, ଧର୍ମସୂତ୍ର ସବୁକୁ ବିଚାରକୁ ନେଇ ଗୌତମ ମୁନି, ବୌଧାୟନ, ଅପସ୍ତମ୍ଭ, ବଶିଷ୍ଠ, ମନୁ, ମହର୍ଷି ଯାଜ୍ଞବଳ୍କ, ବିଜ୍ଞାନେଶ୍ୱର, ଜୀମୁତବାହନ ଓ ଅନ୍ୟାନ୍ୟ ଅନେକ ଋଷି, ମହର୍ଷି ଓ ନ୍ୟାୟଶାସ୍ତ୍ରୀମାନଙ୍କ କଥା ଓ ଲେଖା ଆଧାରରେ ହିନ୍ଦୁଧର୍ମରେ ବିବାହର ସଂଜ୍ଞା ନିରୂପଣ କରିଛନ୍ତି। ପୃ. ୩୨ରେ ସେ ଲେଖୁଛନ୍ତି- ହିନ୍ଦୁ ବିବାହ ଗୋଟିଏ ପବିତ୍ର ଅନୁଷ୍ଠାନ (ସାକ୍ରାମେଣ୍ଟ), ଯାହା ଦଶ ସଂସ୍କାର ମଧ୍ୟରୁ ଅନ୍ୟତମ ଓ ଦମ୍ପତିଙ୍କ ଔରସରୁ ଜାତ ସନ୍ତାନସନ୍ତତିଙ୍କୁ ସ୍ବୀକୃତି ଦେବାପାଇଁ ଅଭିପ୍ରେତ। ‘ପ୍ରିନ୍ସିପ୍ଲ ଅଫ୍‌ ମହମଡାନ ଲ’ର ପୃ. ୧୪୬ରେ ଦିନଶାହ ଫାରୁଦୁନଜୀ ମୁଲ୍ଲା ଲେଖିଛନ୍ତି- ଇସଲାମ୍‌ ଧର୍ମରେ ବିବାହ ଗୋଟିଏ ଚୁକ୍ତି (କଣ୍ଟ୍ରାକ୍ଟ) ଯାହା ସହବାସ ଦ୍ୱାରା ସନ୍ତାନସନ୍ତତି ସୃଷ୍ଟି ଓ ପୁତ୍ରକନ୍ୟାଙ୍କୁ ଆଇନ ଆଖିରେ ସ୍ବୀକୃତି ଦେବାପାଇଁ ଉଦ୍ଦିଷ୍ଟ। ଏହିପରି ଅନ୍ୟାନ୍ୟ ଧାର୍ମିକ ଆଇନଗୁଡ଼ିକରେ ବିବାହ ନ ହେଲେ ବିଚ୍ଛେଦ ବିଷୟରେ ଆଲୋଚନା ବେଳେ ସନ୍ତାନ ପ୍ରାପ୍ତି ଯେ ମୂଳକଥା ଏହା ସାମ୍ନାକୁ ଆସେ। ବିଶେଷ ବିବାହ ଆଇନ- ୧୯୫୪ର ଧାରା ୪(କ-ଆ)ରେ କୁହାଯାଇଛି ଦମ୍ପତିଙ୍କ ମଧ୍ୟରୁ ଯଦି ଜଣେ ଯେ କେହି ସହବାସ ଦ୍ୱାରା ସନ୍ତାନ ଲାଭପାଇଁ ଅସମର୍ଥ, ତେବେ ଏଇ ବିବାହ ଆଇନ ଦୃଷ୍ଟିରେ ଅବୈଧ ଓ ଅସିଦ୍ଧ।
ସାମଗ୍ରିକ ଭାବେ ଦେଖିଲେ- ଯେଉଁ ବିବାହରେ ଦମ୍ପତି ଦ୍ୱୟଙ୍କ ମଧ୍ୟରେ ସହବାସ ଦ୍ୱାରା ସନ୍ତାନ ସନ୍ତତି ପ୍ରାପ୍ତିର ସମ୍ଭାବନା ନ ଥିବ, ତାହା ବିବାହ ପଦବାଚ୍ୟ ନୁହେଁ। ଏଇ ଯେମିତି ଏବେ ସମଲିଙ୍ଗୀ ବିବାହ ବିଷୟରେ ବ୍ୟାପକ ଚର୍ଚ୍ଚା ଆଲୋଚନା ହେଉଛି। ନା ପ୍ରାକୃତିକ ନା ବୈଜ୍ଞାନିକ ପଦ୍ଧତିରେ ପୁଅ-ପୁଅ, ଝିଅ-ଝିଅ ମଧ୍ୟରେ ପ୍ରତ୍ୟକ୍ଷ ବା ପରୋକ୍ଷ ସମ୍ପର୍କ ଦ୍ୱାରା ଦମ୍ପତି ଦ୍ୱୟଙ୍କ ଔରସରୁ ସନ୍ତାନ ସନ୍ତତି ଜନ୍ମହେବାର କାଣିଚାଏ ବି ସମ୍ଭାବନା ଅଛି! ଯେହେତୁ ସମଲିଙ୍ଗୀ ଯୁଗଳ ସନ୍ତାନ ସୃଷ୍ଟି ପାଇଁ ଅସମର୍ଥ, ସାମ୍ପ୍ରତିକ ବିବାହ ଆଇନଗୁଡ଼ିକର ସାମଗ୍ରିକ ତର୍ଜମା ସମଲିଙ୍ଗୀମାନଙ୍କ ମଧ୍ୟରେ ବିବାହ ସମ୍ପର୍କ ସ୍ଥାପନକୁ ସ୍ବୀକୃତି ଦେବାପାଇଁ ସମ୍ପୂର୍ଣ୍ଣ ଅସମର୍ଥ। କୌଣସି ପ୍ରଚଳିତ ଧର୍ମ, ଧାର୍ମିକ ଚଳଣି, ରୀତିନୀତି, ପ୍ରଥାରେ ସମଲିଙ୍ଗୀ ବିବାହର ଉଦାହରଣ ବା ଇତିହାସ ନାହିଁ। ତେଣୁ ଭାରତରେ ବିବାହ ଆଇନର ସଂଶୋଧନ ମାଧ୍ୟମରେ ମଧ୍ୟ ଏହାକୁ ଆଇନସିଦ୍ଧ କରିବା, ବାସ୍ତବ ବିଧି ବ୍ୟବସ୍ଥାର ପରିଧି ଭିତରେ ଅସମ୍ଭବ ପ୍ରତୀୟମାନ ହୁଏ।
ଆଉ ଗୋଟିଏ ମହତ୍ତ୍ୱପୂର୍ଣ୍ଣ କଥା ହେଲା- ହିନ୍ଦୁ, ଇହୁଦୀ ଓ ପାର୍ସୀ ବିବାହରେ ଦମ୍ପତିଦ୍ୱୟଙ୍କ ମଧ୍ୟରୁ ଜଣେ କନ୍ୟା ହୋଇଥିବା ଜରୁରୀ। ହିନ୍ଦୁ ବିବାହ ସମ୍ପୂର୍ଣ୍ଣ ହେବା ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରଥା ହେଲା- ହୋମ, ସପ୍ତପଦୀ ଓ କନ୍ୟାଦାନ ବୋଲି ଅଧିକାଂଶ ରାୟର ନିଷ୍କର୍ଷ। କନ୍ୟାଟିଏ ନ ରହିଲେ କନ୍ୟାଦାନ କର୍ମ ସମ୍ପାଦିତ ହେବ କିପରି? କନ୍ୟାଦାନ ନ ହେବା ପର୍ଯ୍ୟନ୍ତ ହିନ୍ଦୁ ବିବାହ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ କିପରି? ଇହୁଦୀ ବିବାହର ସବୁଠାରୁ ଜରୁରୀ ପ୍ରଥା ହେଲା- ”କାସେଫ୍‌“। ଏଥିରେ କନ୍ୟାପକ୍ଷରୁ ବରକୁ ଧନସମ୍ପତ୍ତି ଦେବାକୁ ହୁଏ। ଦମ୍ପତିଙ୍କ ମଧ୍ୟରୁ ଜଣେ ନାରୀ ନ ହେଲେ, ଏଇ ରୀତି ସମ୍ପାଦିତ ହେବ କେମିତି ଓ ବିବାହ ସମ୍ପୂର୍ଣ୍ଣ ହେବ କିପରି? ସମଲିଙ୍ଗୀ ବିବାହକୁ ସ୍ବୀକୃତି ମିଳିଲେ, ପୁଅ-ପୁଅ ମଧ୍ୟରେ ବିବାହ ବେଳେ କନ୍ୟାଦାନ ବା କାସେଫ୍‌ ପ୍ରଥା ପରି ଅତ୍ୟାବଶ୍ୟକ ଧାର୍ମିକ ରୀତିନୀତି ସମ୍ପୂର୍ଣ୍ଣ ହେବ କେମିତି ଓ ବିବାହ ବୈଧ ହେବ କିପରି? ଯଦି ସମଲିଙ୍ଗୀ ବିବାହକୁ- ସ୍ବୀକୃତି ଦିଆଗଲା ତା’ ହେଲେ ସମସ୍ତ ଧାର୍ମିକ ବିବାହ ଆଇନ ଓ ବିଶେଷ ବିବାହ ଆଇନର ଶେଷପୃଷ୍ଠାଗୁଡ଼ିକରେ ଯେଉଁ ପ୍ରତିବନ୍ଧିତ ସମ୍ପର୍କ (ପ୍ରୋହିବିଟେଡ୍‌ ରିଲେସନଶିପ୍‌)ର ତାଲିକା ରହିଛି, ତାକୁ ରଖିବାର କ’ଣ ବା ନ୍ୟାୟିକ ଯୁକ୍ତି ରହିବ? ପୁଅ-ପୁଅ, ଝିଅ-ଝିଅ ପରସ୍ପରକୁ ବାହାହେଲା ପରେ ସପିଣ୍ଡ ସମ୍ପର୍କ ସବୁ ଓ ବିଶେଷ କରି ବିଶେଷ ବିବାହ ଆଇନର ପ୍ରଥମ ସୂଚୀରେ ବର୍ଣ୍ଣିତ ମା’-ପୁଅ, ବିମାତା-ପୁଅ, ଆଈ-ନାତି, ବାପ-ଝିଅ, ଜେଜେ-ନାତୁଣୀ ପ୍ରଭୃତି ଯେଉଁ ୭୪ଟି ପ୍ରତିବନ୍ଧିତ ସମ୍ପର୍କ ମଧ୍ୟରେ ବିବାହକୁ ଅବୈଧ ଓ ଅସିଦ୍ଧ ଘୋଷଣା କରାଯାଇଛି, ତାହା କେଉଁ ଯୁକ୍ତିରେ ବଳବତ୍ତର ରହିବ? ବେଳ ହୁଁ ସାବଧାନ ନ ହେଲେ ସମ୍ବେଦନଶୀଳ ବିଷୟଟି ଆହୁରି ଜଟିଳ ଓ ଜଟିଳତର ହେବ। ଶେଷରେ ଗୋଟିଏ ପ୍ରଶ୍ନ- ଶାରୀରିକ ମିଳନ କ’ଣ ପ୍ରେମର ପ୍ରଥମ ଓ ଅନ୍ତିମ ଲକ୍ଷ୍ୟ ଯେ ସମଲିଙ୍ଗୀମାନେ ବିବାହ କରିବାର ଅଧିକାର ନ ପାଇଲେ, ସେମାନଙ୍କ ମଧ୍ୟରେ ପ୍ରୀତି ସାମାଜିକ ସ୍ବୀକୃତି ପାଇବ ନାହିଁ? ମହାକବି କାଳିଦାସ ତ କହିଥିଲେ (ଭାବାର୍ଥ)-
ଆକାଶରେ କଳାମେଘ, ଅରଣ୍ୟରେ କେକୀ,
ପୋଖରୀରେ କଇଁଫୁଲ, ବହୁଦୂରରେ ଶଶୀ,
ତଟିନୀରେ ପଦ୍ମ ଫୁଟେ, ଚକ୍ରବାଳେ ରବି,
ଯାହାର ଯା’ ପ୍ରତି ପ୍ରୀତି, ପ୍ରେମସିକ୍ତ ଦେଖି।
ସମ୍ପାଦକ, ‘ସିଦ୍ଧାନ୍ତ’
ମୋ: ୭୯୭୮୪୨୧୮୩୫


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri