ବିବାହ ବାତିଲ କଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ଓ୍ବେଲିଂଟନ୍‌, ୨୪ା୧: ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡରେ ନୂଆ କଟକଣା ଲାଗୁ ହୋଇଥିବାବେଳେ ଏହାକୁ କଡ଼ାକଡ଼ି ପାଳନ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ। କୋଭିଡ୍‌ ପ୍ରକୋପ କମି ନ ଥିବାରୁ ସେ ନିଜ ବିବାହକୁ ଦ୍ୱିତୀୟ ଥର ପାଇଁ ବାତିଲ କରିଛନ୍ତି। କରୋନା ମହାମାରୀ ଯୋଗୁ ଦେଶବାସୀ ଅସୁବିଧାରେ ପଡ଼ିଛନ୍ତି। କଟକଣା ଲାଗୁ ହୋଇଥିବାରୁ ଲୋକଙ୍କୁ ସମସ୍ୟା ଭୋଗିବାକୁ ପଡ଼ୁଛି। ଏପରି ସମୟରେ ସେ ଲୋକଙ୍କ ସାଙ୍ଗରେ ଅଛନ୍ତି ବୋଲି ୪୧ ବର୍ଷୀୟା ଜେସିଣ୍ଡା କହିବା ସହ ନିଜ ବିବାହକୁ ବାତିଲ କରୁଥିବା ରବିବାର ଘୋଷଣା କରିଛନ୍ତି। ତେବେ କେଉଁଦିନ ତାଙ୍କ ବାହାଘର ହେବାକୁ ସ୍ଥିର ହୋଇଥିଲା ସେ ନେଇ ଜେସିଣ୍ଡା କିଛି ସୂଚନା ଦେଇନାହାନ୍ତି। ଜେସିଣ୍ଡା ୨୦୧୯ରେ ତାଙ୍କ ଦୀର୍ଘ ଦିନର ପୁରୁଷ ବନ୍ଧୁ ତଥା ଟିଭି ହୋଷ୍ଟ କ୍ଲର୍କ ଗେଫୋର୍ଡଙ୍କ ସହ ନିର୍ବନ୍ଧ କରିଥିଲେ। ୨୦୨୧ରେ ଉଭୟଙ୍କ ବିବାହ ହେବାର ଥିଲା। କିନ୍ତୁ କରୋନା ମହାମାରୀ ଯୋଗୁ ଜେସିଣ୍ଡା ଏହାକୁ ବାତିଲ କରିଥିଲେ। ଉଭୟଙ୍କର ଜଣେ ୨ ବର୍ଷର ଝିଅ ଅଛନ୍ତି। ୪୪ ବର୍ଷୀୟ ଗେଫୋର୍ଡ ଏକ ଟିଭିରେ ଫିସିଂ ଡକ୍ୟୁମେଣ୍ଟାରି କରୁଥିବାବେଳେ ରେଡିଓରେ ମଧ୍ୟ ସେ କାର୍ଯ୍ୟରତ। ତାଙ୍କ ଡକ୍ୟୁମେଣ୍ଟାରି ଶୋ ଫିସ୍‌ ଅଫ୍‌ ଦ ଡେ ନ୍ୟାଶନାଲ ଜିଓଗ୍ରାଫିକ୍‌ ଚ୍ୟାନେଲରେ ପ୍ରସାରିତ ହେଉଛି। ନିର୍ବାଚିତ ହୋଇ ଶାସନରେ ଥିବାବେଳେ ସନ୍ତାନ ପ୍ରସବ କରିବାରେ ଜେସିଣ୍ଡା ହେଉଛନ୍ତି ବିଶ୍ୱର ଦ୍ୱିତୀୟ ନେତ୍ରୀ। ପ୍ରଥମେ ୧୯୯୦ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋ କ୍ଷମତାରେ ଥିବାବେଳେ ମା’ ହୋଇଥିଲେ। କୋଭିଡ୍‌ ସଂକ୍ରମଣକୁ ସଫଳତାର ସହ ମୁକାବିଲା କରିପାରିଥିବାରୁ ୨୦୨୦ ଅକ୍ଟୋବରରେ ଜେସିଣ୍ଡା ବହୁମତ ପାଇ ପୁଣି ଶାସନକୁ ଫେରିଥିଲେ।
ନ୍ୟୁଜିଲାଣ୍ଡରେ କୌଣସି ଉତ୍ସବ ବା ସମାରୋହରେ ଟିକା ନେଇଥିଲେ ବି ଶହେରୁ ଊର୍ଦ୍ଧ୍ୱ ଲୋକ ସାମିଲ ହେବା ଉପରେ କଟକଣା ରହିଛି। ଦେଶରେ ୧୨ ବର୍ଷ ବୟସରୁ ଊର୍ଦ୍ଧ୍ୱ ପ୍ରାୟ ୯୪ ପ୍ରତିଶତ ଲୋକଙ୍କ ଟିକାକରଣ ସମ୍ପୂର୍ଣ୍ଣ ହୋଇସାରିଛି। ଯୋଗ୍ୟ ବ୍ୟକ୍ତିଙ୍କ ମଧ୍ୟରୁ ୫୬ ପ୍ରତିଶତ ବୁଷ୍ଟର ଡୋଜ୍‌ ନେଇସାରିଛନ୍ତି। ମହାମାରୀ ଆରମ୍ଭ ହେବାଠାରୁ ନ୍ୟୁଜିଲାଣ୍ଡରେ ୧୫,୧୦୪ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୨ ଜଣଙ୍କ ମୃତ୍ୟୁ ଘଟିଛି।

Share