୧୭ ବର୍ଷ ମଧ୍ୟରେ କଲେଣି ୬ ଥର ବିବାହ, ଏମିତି କାହାଣୀ ଶୁଣି ପୋଲିସ ଆଶ୍ଚର୍ଯ୍ୟ

ପାଟନା, ୧୮ା୮: ଫିଲ୍ମରେ ଅଭିନେତା ଅନେକ ମହିଳାଙ୍କୁ ବିବାହ କରୁଥିବା ଦେଖିଥିବେ। ମାତ୍ର ବାସ୍ତବରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଏକ କିମ୍ବା ଦୁଇ ନୁହେଁ, ୬ ଥର ବିବାହ କରିଛନ୍ତି। ଏହି ବ୍ୟକ୍ତି ୨୦୦୫ରେ ପ୍ରଥମ ଥର ପାଇଁ ବିବାହ କରିଥିଲେ। ଏହି ୧୭ ବର୍ଷ ମଧ୍ୟରେ ସେ ମଝିରେ ମଝିରେ ବିବାହ କରିଆସୁଥିଲେ। ବର୍ତ୍ତମାନ ସେ ଝାଡ଼ଖଣ୍ଡର ଜଣେ ମହିଳାଙ୍କୁ ବିବାହ କରି ରହୁଛନ୍ତି।

ରିଲ୍‌ ଲାଇଫ୍‌ କାହାଣୀ ଏବେ ରିୟଲ ଲାଇଫ୍‌ରେ ଦେଖିବାକୁ ମିଳିଛି। ତାଙ୍କର ପ୍ରଥମ ସ୍ତ୍ରୀ ଉକ୍ତ ବ୍ୟକ୍ତିଙ୍କ ଏପରି ବିବାହ ବିଷୟରେ ପ୍ରକାଶ କରିଛନ୍ତି। ପ୍ରକୃତରେ ଅଭିଯୁକ୍ତ ଜଣକ ମହିଳାଙ୍କୁ ଅତି ନିର୍ମମ ଭାବେ ପିଟି ଫିଙ୍ଗି ଦେଇଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ପୀଡ଼ିତା କାନ୍ଦି କାନ୍ଦି ତାଙ୍କ କାହାଣୀ କହିଥିଲେ। ଏହା ସହିତ ସ୍ବାମୀ ୬ଟି ବିବାହ କରିବା ବିଷୟରେ ସୂଚନା ଦେଇଥିଲେ। ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ମହିଳାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ପାଟଣା ବାସିନ୍ଦା ରୁବି କୁମାରୀ ଅଭିଯୋଗ କରିଛନ୍ତି ଯେ, ୨୦୦୫ରେ ସେ ଚେରିୟା ବରୀପୁର ବ୍ଲକର ହରିଶଙ୍କର ଗୋପଙ୍କ ପୁଅ ରଞ୍ଜନ କୁମାରଙ୍କୁ ବିବାହ କରିଥିଲେ। ବିବାହ ପରେ ରଞ୍ଜନ କୁମାର ଏବଂ ରୁବିଙ୍କର ମଧ୍ୟ ଦୁଇଟି ସନ୍ତାନ ଥିଲେ। ରୁବି ଅଭିଯୋଗ କରିଛନ୍ତି, ରଞ୍ଜନଙ୍କର ପିଲାଳିଆମି ଏବଂ ରସିକ ମନୋଭାବ ଯୋଗୁ ସେ ଅନ୍ୟ ମହିଳାମାନଙ୍କୁ ଫସାଉଥିଲେ।

ରୁବି ଅଭିଯୋଗ କରିଛନ୍ତି, ରଞ୍ଜନ ଦିଲ୍ଲୀର ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଛନ୍ତି। ଏହା ପରେ ରଞ୍ଜନ ତୃତୀୟ ଥର ପାଇଁ ମନେରର ଜଣେ ମହିଳାଙ୍କୁ ବିବାହ କରିଥିଲେ। ରୁବି ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ରଞ୍ଜନ କୁମାର ଏଥିରେ ସନ୍ତୁଷ୍ଟ ନ ଥିଲେ, ସେତେବେଳେ ସେ ଝାଡ଼ଖଣ୍ଡର ୩ ମହିଳାଙ୍କ ସହ ସମ୍ପର୍କ ସ୍ଥାପନ କରି ସେମାନଙ୍କୁ ବିବାହ କରିଥିଲେ। ରଞ୍ଜନ ଝାଡ଼ଖଣ୍ଡର ଜଣେ ମହିଳାଙ୍କ ସହ ଚେରିଆ ବାରିପୁରରେ ତାଙ୍କ ପୈତୃକ ବାସଭବନରେ ରହୁଛନ୍ତି। ତାଙ୍କର ତିନୋଟି ସନ୍ତାନ ମଧ୍ୟ ଅଛନ୍ତି। ରୁବି ଏହାକୁ ବିରୋଧ କରିଥିଲେ, ସେତେବେଳେ ରଞ୍ଜନ ରୁବିଙ୍କୁ ନିର୍ମମ ଭାବରେ ପିଟିଥିଲେ। ବର୍ତ୍ତମାନ ରୁବି ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ନ୍ୟାୟ ପାଇଁ ସେ ଜିଲା ପ୍ରଶାସନକୁ ନିବେଦନ କରିଛନ୍ତି।

ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଏହାର ତଦନ୍ତ କରିବାକୁ କହିଛି। ବର୍ତ୍ତମାନ ଅନୁସନ୍ଧାନ ପରେ ହିଁ ରୁବିଙ୍କ ଅଭିଯୋଗ ସତ କି ମିଥ୍ୟା ତାହା ସ୍ପଷ୍ଟ ହେବ।

Share