Categories: ଜାତୀୟ

ପିତାଙ୍କ ଚାକିରିରେ ବିବାହିତା କନ୍ୟାଙ୍କର ବି ରହିବ ଅଧିକାର: ହାଇକୋର୍ଟ

ବେଙ୍ଗାଲୁରୁ,୧୭।୧୨: ଏଣିକି ପିତାଙ୍କ ଚାକିରିରେ ବି ବିବାହିତା କନ୍ୟାଙ୍କର ବି ଅଧିକାର ରହିବ। ଆବଶ୍ୟକସ୍ଥଳେ ସେ ପିତାଙ୍କ ଅନ୍ତେ ନିଯୁକ୍ତି ପାଇପାରିବେ। ଏସମ୍ପର୍କିତ ଏକ ମାମଲାର ବିଚାର କର୍ନାଟକ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହାଦ୍ୱାରା ସରକାରୀ ଚାକିରି କରୁଥିବା ପିତାଙ୍କ ଅସମୟ ମୃତ୍ୟୁରେ ଅନୁକମ୍ପାମୂଳକ ସହାୟତା ସ୍ବରୂପ ପ୍ରଦାନ କରାଯାଉଥିବା ନିଯୁକ୍ତି ସୁଯୋଗ ବିବାହିତା କନ୍ୟା ମଧ୍ୟ ପାଇପାରିବେ। ବିଚାରପତି ଏମ୍‌. ନାଗପ୍ରସନ୍ନା ଏହି ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ୨୦୧୬ରେ ସରକାରୀ ଚାକିରି କରିଥିବା ଅଶୋକ ଆଡିଭେପ୍ପା ମାଡ଼ିଭାଲାରନାମକ ଜଣେ ବ୍ୟକ୍ତିଙ୍କ ଅସମୟ ମୃତ୍ୟୁ ଘଟିଥିଲା। ଅନୁକମ୍ପା ମୂଳକ ସହାୟତା ଅନ୍ତର୍ଗତ ତାଙ୍କ ପୁଅଙ୍କୁ ଚାକିରି କରିବାକୁ ଅନୁମତି ଦିଆଯାଇଥିଲା। ତେବେ ସେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବାରୁ ଏହାକୁ ମନା କରିଥିଲେ। ତେବେ ବିବାହିତା କନ୍ୟା ଭୁବନେଶ୍ୱରୀ ଭି.ପୁରାନିକ୍‌ ପିତାଙ୍କ ଚାକିରିରେ ନିଯୁକ୍ତି ପାଇଁ ଆବେଦନ କରିଥିଲେ। ମାତ୍ର ଏହାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମନା କରାଯାଇଥିଲା। ଏନେଇ ଭୁବନେଶ୍ୱରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମାମଲାର ବିଚାର କରି ପିତାଙ୍କ ଚାକିରିରେ ବିବାହିତା କନ୍ୟାଙ୍କର ଅଧିକାର ରହିବ ବୋଲି କହିଛନ୍ତି। କନ୍ୟା ବିବାହିତା ହେଲେ ମଧ୍ୟ ଅନୁକମ୍ପାମୂଳକ ସହାୟତା ପାଇପାରିବେ। ଏଥିରେ କୌଣସି ବାଧା ଆସିବ ନାହିଁ ବୋଲି କୋର୍ଟ ପ୍ରକାଶ କରିଛନ୍ତି।

Share