Categories: ଫୁରସତ

ସଚେତନତା ପାଇଁ ନର୍ଦ୍ଦମା ଭର୍ତ୍ତି ନଦୀକୁ ବିବାହ

ଲଣ୍ଡନ: ପୂର୍ବକାଳରେ ଲୋକେ ନଦୀକୂଳରେ ଘର କରି ରହୁଥିଲେ। ନଦୀ ଜଳକୁ ବ୍ୟବହାର କରୁଥିଲେ। ବେଳକୁ ବେଳ ଲୋକସଂଖ୍ୟା ବଢିବାରୁ ଲୋକେ ନିଜ ପାଇଁ ଘର ତିଆରି କରିବା ସହ ଘରର ଅଳିଆ ଆବର୍ଜନା ସବୁ ନଦୀରେ ପକାଇବାକୁ ଲାଗିଲେ। ଫଳରେ ନଦୀ ପରେ ନାଳରେ ପରିବର୍ତ୍ତନ ହେବାରେ ଲାଗିଲା। ଏପରି ସ୍ଥଳରେ ବର୍ତ୍ତମାନ ଜଣେ ମହିଳା ଲୋକଙ୍କୁ ନଦୀ ବିଷୟରେ ସଚେତନ କରିବାକୁ ଯାଇ ଏକ ନଦୀକୁ ବିବାହ କରିଛନ୍ତି। ଏପରି ଘଟଣା ଇଂଲଣ୍ଡରେ ଦେଖିବାକୁ ମିଳିଛି। ମେଗାନ ଟ୍ରମ୍ପ ନାମ୍ନୀ ମହିଳା ଇଂଲଣ୍ଡର ଏଭୋନ ନଦୀକୁ ବିବାହ କରିଛନ୍ତି। ଏହା ପରେ ସେ ତାଙ୍କ ନାମ ବଦଳାଇବାକୁ ମଧ୍ୟ ଚିନ୍ତା କରୁଛନ୍ତି। ପୂର୍ବରୁ ଏହି ନଦୀ ବହୁତ ନିର୍ମଳ ଥିଲା। ହେଲେ ଏବେ ସହର ଯାକର ଅଳିଆ ଏଥିରେ ଭର୍ତ୍ତି ହୋଇଗଲାଣି। ଫଳରେ ଏଭୋନ ନଦୀ ଏବେ ଗନ୍ଧିଆ ନାଳରେ ପରିଣତ ହୋଇଯାଇଛି। ମେଗାନ ଗତ ଜୁନ୍‌ ୧୭ ତାରିଖରେ ଏଭୋନ ସହ ବିବାହ କରିଛନ୍ତି। ତାଙ୍କ ବିବାହର ଭୋଜି ସେ ସେହି ନଦୀ ପାଖରେ ଦେଇଥିଲେ। କିନ୍ତୁ ସେଠାରୁ ଆସୁଥିବା ଗନ୍ଧ ପାଇଁ ଲୋକେ ବାନ୍ତି କରିଥିଲେ। ତେବେ ମେଗାନ ଏପରି କରିବା ପଛର କାରଣ କହିଛନ୍ତି। ଏଭୋନ ନଦୀର ପାଣି ଏତେ ଖରାପ ହୋଇଯାଇଛି ଯେ ତାଙ୍କ ସାଙ୍ଗମାନଙ୍କ ସହିତ ଅନେକଙ୍କ ଦେହ ଖରାପ ହେବାରେ ଲାଗୁଛି। ସେ ସେହି ନଦୀକୁ ସଫା କରିବାକୁ ଏକ ମିଶନ ଆରମ୍ଭ କରି ଲୋକଙ୍କୁ ସଚେତନ କରିବାକୁ ନେଇ ଏପରି କରିଥିବା କହିଛନ୍ତି।

Share