ମିଳିଲା ମଙ୍ଗଳ ମାଟି ଉପଯୋଗୀ ଉଦ୍ଭିଦ

ନୂଆଦିଲ୍ଲୀ, ୨୫ା୮: ମଙ୍ଗଳରେ ମନୁଷ୍ୟ ରହିପାରିବା ଭଳି ପରିବେଶ ସୃଷ୍ଟି ନିମନ୍ତେ ଗବେଷଣାରତ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟ ଆବିଷ୍କାର କରୁଛନ୍ତି। ପୃଥିବୀର ନିକଟତମ ଗ୍ରହ ମଙ୍ଗଳରେ ଜଳ ଥିବା ନିର୍ଦ୍ଦିଷ୍ଟ ସ୍ଥାନର ମ୍ୟାପ୍‌ ୟୁରୋପୀୟ ମହାକାଶ ସଂସ୍ଥା (ଇଏସ୍‌ଏ) ପାଇଁ ଜାରି କରିସାରିଥିବାବେଳେ ଏବେ ସେଠାରେ ଚାଷ ନିମନ୍ତେ ବ୍ୟବସ୍ଥା କରିବାକୁ ଉଦ୍ୟମ ଚାଲିଛି। ଲୋହିତ ଗ୍ରହ ମାଟିରେ ଲାଗିପାରିବା ଭଳି ଏକ ପ୍ରକାର ଉଦ୍ଭିଦ ଖୋଜି ବାହାର କରାଯାଇଛି। ଏହାର ନାଁ ‘ଆଲ୍‌ଫାଲ୍‌ଫା’। ଏହି ଗଛ ମଙ୍ଗଳ ମାଟିରେ ଉର୍ବରକ ଭଳି କାମ କରିବ। ଫଳରେ ଲାଲ୍‌ ଗ୍ରହରେ ଚାଷ ସମେତ ବିଭିନ୍ନ ପ୍ରକାର ଉଦ୍ଭିଦ ଲଗାଯାଇପାରିବ ବୋଲି ଅଧ୍ୟୟନରୁ ଜଣାପଡ଼ିଛି। ଏହି ରିପୋର୍ଟ ପ୍ଲସ୍‌ ଓ୍ବାନ୍‌ ଜର୍ନାଲରେ ପ୍ରକାଶ ପାଇଛି।

ଅନେକ ଦେଶର ମହାକାଶ ଏଜେନ୍ସି ମଙ୍ଗଳ ଦୌଡ଼ରେ ଲାଗିଥିବାବେଳେ ସେଠାକୁ ମାନବମିଶନ ପ୍ରସ୍ତୁତି ଚଳାଇଛନ୍ତି। ମାନବ ରହିବା ବ୍ୟବସ୍ଥା ହୋଇଗଲେ ମଧ୍ୟ ଏହି ଗ୍ରହରେ ଖାଦ୍ୟପାନୀୟ ସଙ୍କଟ ମୁଖ୍ୟ ଚ୍ୟାଲେଞ୍ଜ ହେବ। ପୃଥିବୀରୁ ମଙ୍ଗଳକୁ ଖାଦ୍ୟ ପଠାଇବାପରେ ମାସାଧିକ କାଳ ଲାଗିବ, ଯାହା କି ଅତ୍ୟନ୍ତ କଷ୍ଟକର ଏବଂ ଖର୍ଚ୍ଚାନ୍ତ ପ୍ରକ୍ରିୟା। ତେଣୁ ଲାଲ୍‌ ଗ୍ରହରେ କୃଷିର ବିକାଶ କରିବା ପାଇଁ ଅଧ୍ୟୟନ ମଧ୍ୟରେ ବୈଜ୍ଞାନିକମାନେ ‘ଆଲ୍‌ଫାଲ୍‌ଫା’ ଉଦ୍ଭିଦ ଖୋଜି ପାଇଛନ୍ତି। ମଙ୍ଗଳ ମାଟିରେ ଲୁଣ ଓ ଖଣିଜ ପଦାର୍ଥ ଭରପୂର ଥିବାବେଳେ ସେଥିରେ ଜୈବିକ ପଦାର୍ଥ କିମ୍ବା ଗଛକୁ ବଞ୍ଚାଇ ରଖିବା ଭଳି ଅଣୁଜୀବ ନାହିଁ।

ତେଣୁ ସେଠାରେ ଅଧିକାଂଶ ଉଦ୍ଭିଦ ବଢ଼ିବା କଷ୍ଟକର। ସଦ୍ୟ ଅଧ୍ୟୟନରେ ଏହାର ସମାଧାନ ଆଲଫା ପ୍ଲାଣ୍ଟ୍‌ରେ ଆବିଷ୍କୃତ ହୋଇଛି। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଏହି ଉଦ୍ଭିଦ ମଙ୍ଗଳ ଗ୍ରହରେ ଆଗ୍ନେୟଗିରି ସଦୃଶ କଠିନ ମାଟିରେ ମଧ୍ୟ ବଢ଼ିପାରିବ। ଏଥିରୁ ଖାଦ୍ୟ ଭାବେ ବ୍ୟବହାର କରାଯିବା ସହ ଏହାର ପତ୍ର ଏବଂ ବିଭିନ୍ନ ଅଂଶରୁ ସେଠାକାର ମାଟି ଚାଷ ଉପଯୋଗୀ ହୋଇପାରିବ। ଫଳରେ ସେଠାରେ ଶାଗ, ମୂଳା ଭଳି ଗଛ ବଢ଼ିପାରିବ। ଗବେଷଣାରେ ବୈଜ୍ଞାନିକମାନେ ପ୍ରଥମେ ମଙ୍ଗଳ ଭଳି ମୃତ୍ତିକା ପ୍ରସ୍ତୁତ କରି ସେଥିରେ ବିଭିନ୍ନ ପ୍ରକାର ମଞ୍ଜି ଓ ଚାରାର ପରୀକ୍ଷଣ କରିଥିଲେ। ଆଲ୍‌ଫାଲ୍‌ଫା ଉଦ୍ଭିଦ ଏଭଳି ମାଟିରେ ବଢ଼ିପାରିବ ବୋଲି ଅଧ୍ୟୟନରୁ ଜଣାପଡ଼ିଛି।

Share